fbpx

ମୋଦୀଙ୍କ କଡ଼ା ନିର୍ଦ୍ଦେଶ: ଅଗଷ୍ଟ ୧୫ ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀ ଦିଲ୍ଲୀ ଛାଡି ବାହାରକୁ ଯାଇପାରିବେ ନାହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ୍ ରେ କିଛି ବରିଷ୍ଠ ମନ୍ତ୍ରୀଙ୍କୁ ବିଦାୟ ଦେଇଛନ୍ତି । ଦେଶରେ ଏବେ ୪୩ ନୂଆ କେନ୍ଦ୍ରୀୟ ମନ୍ତ୍ରୀ ତିଆରି କରାଯାଇଛି । କିଛି ନୂଆ ମୁହଁକୁ ଦେଖିବାକୁ ମିଳିଛି । ବର୍ତ୍ତମାନ ନୂତନ ନିଯୁକ୍ତ ମନ୍ତ୍ରୀ ମାନଙ୍କୁ ନେଇ ଆଜି ବୈଠକ ହେବାକୁ ଯାଉଥିବା ବେଳେ ସେମାନଙ୍କ ପାଇଁ ଆଗୁଆ ନିର୍ଦ୍ଦେଶ ଜାରି କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ, ଶପଥ ନେଇଥିବା ମନ୍ତ୍ରୀ ମାନେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ।

ଏଥିସହିତ ମନ୍ତ୍ରୀ ହେବା ଖୁସିରେ କୌଣସି ବି ମନ୍ତ୍ରୀ ଉତ୍ସବ ମନାଇପାରିବେ ନାହିଁ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ମାସ୍କ ଓ ସାମଜିକ ଦୂରତାକୁ ବାଧ୍ୟତାମୁଳକ କରାଯାଇଥିବାରୁ ଉତ୍ସବ ମନାଇବା ଉପରେ ରୋକ୍ ଲଗାଯାଇଛି । ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ, ମୋଦୀ ସମସ୍ତ ମନ୍ତ୍ରୀ ମାନଙ୍କୁ କହିଛନ୍ତି ଯେ, ଦିଲ୍ଲୀରେ ରହି ନିଜ ନିଜ ଦାୟିତ୍ୱ ଉପରେ ଧ୍ୟାନ କେନ୍ଦ୍ରୀତ କରନ୍ତୁ । ସେହିପରି ସମସ୍ତ ମନ୍ତ୍ରୀ ଆଜି ପାର୍ଟି ମୁଖ୍ୟାଳୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ।

ସୂଚନାଯୋଗ୍ୟ, କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରେଳ ଓ ଆଇଟି ବିଭାଗର କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ତାଙ୍କୁ ସାର ଓ ରସାୟନ ବିଭାଗ ମଧ୍ୟ ପ୍ରଦାନ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିବା ବେଳେ ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପ୍ରଦାନ କରାଯାଇଛି ।

ନୂତନ ଭାବରେ ଗଠନ କରାଯାଇଥିବା ମନ୍ତ୍ରିମଣ୍ଡଳରେ ମିନିଷ୍ଟ୍ରୀ ଅଫ୍ କୋ ଅପରେସନର ଦାୟିତ୍ୱ ଅମିତ୍ ଶାହଙ୍କୁ ପ୍ରଦାନ କରାଯାଇଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଟେକ୍ସଟାଇଲ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପ୍ରଦାନ କରାଯାଇଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି । ପୁରୁଷୋତ୍ତମ ରୂପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି ।

ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟକୁ ନିଜ ଅଧୀନରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନୁରାଗ ଠାକୁରଙ୍କୁ ସୂଚନା ଓ ପ୍ରସାରଣ ବିଭାଗ ମିଳିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମଧ୍ୟ ତାଙ୍କ ଅଧୀନରେ ରହିଛି । ମୀନାକ୍ଷୀ ଲେଖିଙ୍କୁ ବିଦେଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଘୋଷଣା କରାଯାଇଛି । ଏହା ସହିତ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

 

Get real time updates directly on you device, subscribe now.