କୋଭିଡ୍‌ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ୍‌, ‘ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି’

ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା ପାଇଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବର: ପୁଣି କଡ଼ ଲେଉଟାଇଲାଣି କୋରନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଗୁରୁବାର ସୁଦ୍ଧା, ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୨୦୦ ଅତିକ୍ରମ କରିଛି । ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତକାଲି 5 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

କୋଭିଡ ନେଇ ଭୟ କର ନାହିଁ- ଏହାରି ଭିତରେ ଆଜି ସ୍ବାସ୍ଥ୍ୟମନ୍ତ୍ରୀ କୋଭିଡ ନେଇ ବୟାନ ରଖିଛନ୍ତି । କୋରନା ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି । ସରକାରଙ୍କ ନଜରରେ ଅଛି, ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ ଚାଲିଛି ବୋଲି ସେ କହିଛନ୍ତି ।

 କୋଭିଡ ନେଇ ସତର୍କ ସଜାଗ ରୁହନ୍ତୁ– ଅନ୍ୟପଟେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ସୂଚନା ଦେଇଛନ୍ତି । କୋଭିଡ୍ ମାମଲା ବଢ଼ିନି, ସେହି ୫ଟି କେସ୍‌ ରହିଛି ବୋଲି ସେ କହିଛନ୍ତି ।

ନୂଆ କେସ୍‌ ଆସିନି, ସତର୍କ ଓ ସଜାଗ ରହିବା ଆବଶ୍ୟକ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । RTPCR ମେସିନ୍ ପ୍ରସ୍ତୁତ, ଅକ୍ସିଜେନ୍ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି ।

ଯଥେଷ୍ଟ ଟେଷ୍ଟିଂ କିଟ୍ ମଗାଯାଇଥିଲା, ସବୁ ଆସିଛି । ଆବଶ୍ୟକତା ଅନୁସାରେ ଜିଲ୍ଲାଗୁଡ଼ିକୁ କିଟ୍ ଯୋଗାଇ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।