ରାଜଧାନୀ ଦେଖିବ ବିରଳ ଦୃଶ୍ୟ! ଆଜି ଭୁବନେଶ୍ୱରରେ ଦେଖାଯିବନି କାହାର ଛାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଆପଣମାନେ ଯଦି ଭୁବନେଶ୍ୱରରେ ବସବାସ କରୁଥିବେ ତେବେ ଆପଣଙ୍କ ସହିତ ଆଜି ଏପରି କିଛି ଘଟିବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରରେ ମେ ୨୧ରେ ଓ କଟକରେ ମେ ୨୨ ତାରିଖରେ କାହାର ଛାଇ ଦେଖାଯିବନି । ଜ୍ୟୋତିବିଜ୍ଞାନୀଙ୍କ ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି । ଏଭଳି ବିରଳ ଦୃଶ୍ୟକୁ ନିଜ ଆଖିରେ ଦେଖିବାକୁ ଏବେଠାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି ।

ପ୍ରକୃତ କଥା ହେଉଛି, ‘ଶୂନ୍ୟ ଛାୟା ଦିବସ’ ବା ‘ଜିରୋ ଶ୍ୟାଡୋ ଡେ’ ଅବସରରେ ଟ୍ୱିନ ସିଟିରେ କାହାରିକୁ ନିଜ ଛାଇ ଦେଖାଯିବନି । ଗତବର୍ଷ ଏପ୍ରିଲ ମାସ ୨୧ ତାରିଖରେ ଭୁବନେଶ୍ୱରରେ ମଧ୍ୟ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ବିର୍ଷର ବିଭିନ୍ନ ସମୟରେ ଏଭଳି ବିରଳ ଦୃଶ୍ୟ ଦେଖିବାର ସୌଭାଗ୍ୟ ଲାଭ କରିଥାନ୍ତି । ସୂର୍ଯ୍ୟ ଦିଗବଳୟ ଆମର ଯେତେ ନିକଟରେ ରହିଥାଏ, ଆମର ଛାଇର ଲମ୍ବ ସେତେ ଅଧିକ ହୋଇଥାଏ । ସୂର୍ଯ୍ୟ ଠିକ ଆମ ମୁଣ୍ଡ ଉପରେ ରହିବା ସମୟରେ ଆମର ଛାଇ ଦୃଶ୍ୟମାନ ହୋଇନଥାଏ । ମେ ୨୧ ତାରିଖ ସକାଳ ୧୧.୪୩ ସମୟରେ ଭୁବନେଶ୍ୱରରେ ଓ ମେ ୨୨ ତାରିଖ ସକାଳ ୧୧.୪୩ ସମୟରେ କଟକରେ ଏହି ଶୂନ୍ୟ ଛାୟା ଦିବସର ଝଲକ ଦେଖିବାକୁ ମିଳିବ । ସେହିପରି ମେ ୨୮ରେ ବୁର୍ଲା, ଜୁନ ୨ରେ ରାଉରକେଲା, ମେ ୨୩ରେ ବଲାଙ୍ଗିର ଓ ମେ ୩୧ରେ ବାରିପଦାରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।

ପ୍ରକୃତ କଥା ହେଉଛି, ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ପ୍ରତ୍ୟେକ ଦିନ ଅସ୍ତ ହେଉଥିଲେ ହେଁ ସୂର୍ଯ୍ୟ ପ୍ରତ୍ୟେକ ଦିନ ଅଲଗା ଅଲଗା ସ୍ଥାନରୁ ଉଦୟ ହୋଇଥାନ୍ତି । ଯେହେତୁ ଆମର ପୃଥିବୀ ତା’ର ଅକ୍ଷ ସହିତ ୨୩.୫ ଡିଗ୍ରୀରେ ଢଳି ରହିଛି ତେଣୁ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଲା ବେଳେ ସୂର୍ଯ୍ୟ କିଛିଦିନ ପାଇଁ ଉତ୍ତର ଦିଗରେ ଓ ଆଉ କିଛିଦିନ ପାଇଁ ଦକ୍ଷିଣ ଦିଗରେ ଉଦୟ ହେବା ଭଳି ଜଣାପଡ଼େ । ପୃଥିବୀର ମଧ୍ୟଭାଗରେ ବିଷୁବରେଖା ରହିଥିବା ବେଳେ ତା’ର ୨୩ ଡିଗ୍ରୀ ଉପରକୁ ରହିଛି କର୍କଟକ୍ରାନ୍ତି ଓ ମକରକ୍ରାନ୍ତି । ଉକ୍ତ ୨୩ ଡିଗ୍ରୀ ମଧ୍ୟରେ ଯେଉଁ ଅଞ୍ଚଳ ରହିଥାଏ, ବର୍ଷର ଏପରି ୨ ଦିନରେ ସୂର୍ଯ୍ୟ ଅପରାହ୍ଣରେ ଠିକ୍ ଆମର ମୁଣ୍ଡ ଉପରେ ରହିଥାଏ । ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଫଳରେ ଛାଇ ଆଦୌ ଦେଖାଯାଏ ନାହିଁ, ଫଳରେ ଶୂନ୍ୟ ଛାୟା ଦିବସ ହୋଇଥାଏ । ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ଏ ବାବଦରେ ସବିଶେଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.