ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜେୱର ବିମାନବନ୍ଦର(Jewar Airport)ର ଶେଷ ପର୍ଯ୍ୟାୟ ପାଇଁ ଭୂମି ଦେଇଥିବା ଚାଷୀଙ୍କୁ ସହ ତାଙ୍କ ବାସଭବନରେ ଭେଟିଥିଲେ । ଯୋଗୀ କୃଷକଙ୍କୁ ଭେଟି ଜମି ଅଧିଗ୍ରହଣ ପାଇଁ ନୂତନ ରେଟ୍ ଘୋଷଣା କରିଥିଲେ । ବର୍ତ୍ତମାନ ବର୍ଗ ମିଟର ପିଛା ଜମିର ମୂଲ୍ୟ ୪୩୦୦ ଟଙ୍କା ରହିବ । ପ୍ରଭାବିତ କୃଷକଙ୍କ ପାଇଁ ରୋଜଗାର ଏବଂ ସେବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ କୃଷକମାନେ ଖୁସି ଥିବା ଜଣାପଡ଼ିଛି ।
ଯୋଗୀ କହିଛନ୍ତି, ‘ଚାଷୀଙ୍କ ବକେୟା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା । ଚାଷୀଙ୍କ ବକେୟା କୌଣସି ମୂଲ୍ୟରେ ଅଟକିବ ନାହିଁ । ସେମାନଙ୍କୁ ନିୟମ ଅନୁସାରେ ସୁଧ ମିଳିବ ଏବଂ ପ୍ରଭାବିତ ଚାଷୀଙ୍କୁ ଥଇଥାନ୍ କରାଯିବ ।’ ଚାଷୀଙ୍କୁ ଜମି ବଦଳରେ ୧୦% ପ୍ଲଟ୍ ମିଳିବ । ସେ ଆହୁରି ମଧ୍ୟ କହିଛନ୍ତି, ‘ଦଶନ୍ଧୀ ଧରି ଅନ୍ଧକାରରେ ବୁଡ଼ି ରହିଥିବା ଜେୱର ବିମାନବନ୍ଦର ବର୍ତ୍ତମାନ ବିଶ୍ୱ ମଞ୍ଚରେ ଚମକିବାକୁ ପ୍ରସ୍ତୁତ ହେଉଛି । ଆଗାମୀ ୧୦ ବର୍ଷରେ ଏହା ଦେଶର ସବୁଠରୁ ବିକଶିତ ଅଞ୍ଚଳ ହେବ । ଏପ୍ରିଲ ୨୦୨୫ରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଯ୍ୟ ଆରମ୍ଭ ହେବ ଯାହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।’ ଜେୱର ବିମାନବନ୍ଦର ୨୦୪୦ ପର୍ଯ୍ୟନ୍ତ ୭୦ ମିଲିୟନ୍ ଯାତ୍ରୀ କ୍ଷମତା ବିଶିଷ୍ଟ ସର୍ବବୃହତ ବିମାନବନ୍ଦରରେ ପରିଣତ ହେବ । ଇଷ୍ଟର୍ଣ୍ଣ ପେରିଫେରାଲ ରୋଡ୍, ଯମୁନା ଏକ୍ସପ୍ରେସ୍ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ଏବଂ ଦିଲ୍ଲୀ ବାରାଣାସୀ ହାଇ ସ୍ପିଡ୍ ରେଳକୁ ଜେୱର ବିମାନବନ୍ଦର ସିଧାସଳଖ ସଂଯୋଗ କରିବ ।