ଭାରତ ନୁହେଁ, ଏହି ସ୍ଥାନରେ ଖେଳାଯିବ ବିଶ୍ୱକପ: ଆଇସିସି କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ଖୁବ କମ୍ ଦିନ ୨ ବାକି ରହିଛି । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଚଳିତବର୍ଷର ବିଶ୍ୱକପର ଆୟୋଜନ ଭାରତ ନିକଟରେ ରହିଛି । ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ଯୁଦ୍ଧ । ତେବେ ଏହି ସମୟରେ ଆଇସିସି ଏକ ବଡ଼ ଘୋଷଣା କରିଛି । ବିଶ୍ୱକପର ନୂଆ ସ୍ଥାନ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ।

ଆଇସିସି ରିପୋର୍ଟ ଅନୁସାରେ, ଆସନ୍ତାବର୍ଷ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ୨୦୨୪ । ଏଥିପାଇଁ ଭେନ୍ୟୁ ସ୍ଥିର କରିଛି ଆଇସିସି । ଆମେରିକାର ୩ଟି ସ୍ଥାନକୁ ଟି-୨୦ ବିଶ୍ୱକପ ଆୟୋଜନର ଦାୟିତ୍ୱ ମିଳିଛି । ଆମେରିକାର ବ୍ରୋବାର୍ଡ କାଉଣ୍ଟି(ଫ୍ଲୋରିଡା), ଗ୍ରାଣ୍ଡ ପ୍ରେରୀ(ଡେଲାସ) ଏବଂ ଆଇସେନହାୱର ପାର୍କ(ନ୍ୟୁୟର୍କ)ଠାରେ ଟି-୨୦ ବିଶ୍ବକପ-୨୦୨୪ ଅନୁଷ୍ଠିତ ହେବ । ତେବେ ଏହି ବିଶ୍ୱକପ ସହିତ ପ୍ରଥମ ଥର ପାଇଁ ଆମେରିକାକୁ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରିବାର ସୁଯୋଗ ମିଳିଛି । ତେବେ ଆମେରିକା ସହ ୱେଷ୍ଟଇଣ୍ଡିଜ ମଧ୍ୟ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସହ ଆୟୋଜକ ରହିଛି । ୨୦୨୧ରେ ଆମେରିକାକୁ ଆଇସିସି ଏହି ପ୍ରତିଯୋଗିତା ପାଇଁ ଚୟନ କରିଥିଲା ।

ଆଇସିସି ଏକ ବିବୃତ୍ତିରେ କହିଛି: “ଆମେରିକାର ତିନିଟି ସ୍ଥାନ ଘୋଷଣା କରି ଆମେ ଆନନ୍ଦିତ । ଏଠାରେ ସର୍ବବୃହତ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ଆୟୋଜନ ହେବ ଏବଂ ୨୦ ଟି ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆମେରିକା ଏକ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ଏହି ସ୍ଥାନଗୁଡିକ ଆମକୁ ବିଶ୍ୱର ସର୍ବ ବୃହତ କ୍ରୀଡା ବଜାରକୁ ଟ୍ୟାପ୍ କରିବାର ଏକ ବଡ଼ ସୁଯୋଗ ପ୍ରଦାନ କରେ । ଆମେ ଦେଶରେ ଅନେକ ସମ୍ଭାବ୍ୟ ସ୍ଥାନ ବିକଳ୍ପ ଅନୁସନ୍ଧାନ କରିଛୁ ଏବଂ ସମ୍ଭାବ୍ୟ ହୋଷ୍ଟମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ସାହରେ ଆମେ ଅତ୍ୟନ୍ତ ସନ୍ତୁଷ୍ଟ, ଯାହା କ୍ରିକେଟ୍ ପ୍ରଶଂସକ ଏବଂ ବିବିଧ ସମ୍ପ୍ରଦାୟକୁ ଏକତ୍ର କରିବାରେ ସାହାଯ୍ୟ କରିବ ଏବଂ କ୍ରିକେଟ୍ ପ୍ରତି ରୁଚି ଆହୁରି ବୃଦ୍ଧି ପାଇବ ।