କେବଳ ସିରାଜ ନୁହେଁ, ଧୋନୀଙ୍କୁ ବି ସେନାରେ ପ୍ରମୁଖ ଦାୟିତ୍ୱ: ଏହି ଭାରତୀୟ ଖେଳାଳି ପାଇଛନ୍ତି ବଡ଼ ପଦବୀ

ଓଡ଼ିଶା ଭାସ୍କର: ତେଲେଙ୍ଗାନା ପୋଲିସ ବିଭାଗରେ ଡିଏସପି ପଦବୀରେ ଦାୟିତ୍ୱ ନେଇଛନ୍ତି ଷ୍ଟାର କ୍ରିକେଟର ମହମ୍ମଦ ସିରାଜ । ଏଣିକି ୨ଟି ବିଭାଗରେ ସିରାଜ ଦେଶ ପାଇଁ କାର୍ଯ୍ୟ କରିବେ । ଡିଏସପି ପଦରେ ନିଯୁକ୍ତି ପାଇବା ପରେ ମହମ୍ମଦ ସିରାଜଙ୍କୁ ନେଇ ସବୁଠି ଚର୍ଚ୍ଚା । କ୍ରିକେଟରେ ଭାରତ ପାଇଁ ଅନେକ ମ୍ୟାଚରେ ଦମଦାର ପ୍ରଦର୍ଶନ କରିବା ପରେ ଏଣିକି ପୋଲିସ ଡିଏସପି ଭାବରେ ମଧ୍ୟ କାର୍ଯ୍ୟନିର୍ବାହ କରିବେ । ତେବେ ସିରାଜ ଏହି ସରକାରୀ ଚାକିରିରେ ଦାୟିତ୍ୱ ନେଇ ଭାରତ ପାଇଁ ଗୌରବ ଆଣିଛନ୍ତି । ତେବେ କେବଳ ସିରାଜ ନୁହେଁ, ସିରାଜଙ୍କ ପୂର୍ବରୁ ମଧ୍ୟ ଅନେକ ଖେଳାଳି ସରକାରୀ ଚାକିରିରେ ନିୟୋଜିତ ରହିଛନ୍ତି । ଏହି ତାଲିକାରେ କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ସାମିଲ ରହିଛି ।

ସରକାରୀ ଚାକିରି କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମ ମଧ୍ୟ ରହିଛି । ଏହି ନିୟମ ଆଧାରରେ ଭାରତର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି ତେଲେଙ୍ଗାନା ସରକାର । ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପାଇଁ ସିରାଜଙ୍କୁ ପୋଲିସ ଡିଏସପି ପଦବୀରେ ନିଯୁକ୍ତି ପ୍ରଦାନ କରିବା ସହ ସରକାରୀ ଜମି ଦେବା ପାଇଁ ତେଲେଙ୍ଗାନା ସରକାର ପ୍ରତିଶ୍ରୁତି ଦେଇଥିଲେ । ସିରାଜଙ୍କ ବ୍ୟତୀତ ଆହୁରି ଅନେକ ଖେଳାଳି ସରକାରୀ ଚାକିରିରେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଯୋଗିନ୍ଦର ଶର୍ମା: ଟିମ ଇଣ୍ଡିଆର ପୂର୍ବତନ ବୋଲର ଯୋଗିନ୍ଦର ଶର୍ମା ୨୦୦୭ ଟି-୨୦ ବିଶ୍ୱକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ପାକିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚରେ ଯୋଗିନ୍ଦରଙ୍କ ଶେଷ ଓଭର ଭାରତକୁ ବିଶ୍ୱବିଜୟୀ ରୂପରେ ପରିଚୟ ଦେଇଥିଲା । ତେବେ ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ପରେ ହରିୟାଣା ସରକାର ଯୋଗିନ୍ଦର ଶର୍ମାଙ୍କୁ ପୋଲିସ ଡିଏସପି ଭାବରେ ନିଯୁକ୍ତି କରିଛନ୍ତି ।

ହରଭଜନ ସିଂହ: ସେହିପରି ଟିମ ଇଣ୍ଡିଆର ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ ମଧ୍ୟ ବର୍ତ୍ତମାନ ସରକାରୀ ଚାକିରିରେ ଦାୟିତ୍ୱ ତୁଲାଉଛନ୍ତି । ଭାରତୀୟ କ୍ରିକେଟ ପାଇଁ ଅନେକ ରେକର୍ଡ ସୃଷ୍ଟି କରିବା ପରେ ପଞ୍ଜାବ ପୋଲିସ ବିଭାଗରେ ଡେପୁଟୀ ଏସପି ଭାବରେ ନିଯୁକ୍ତି ପାଇଛନ୍ତି । ତେବେ ଏହାବ୍ୟତୀତ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ପାଇଁ ରାଜ୍ୟସଭା ସାଂସଦ ଭାବରେ ଦାୟିତ୍ୱ ତୁଲାଉଛନ୍ତି ହରଭଜନ ।

ଏମ.ଏସ ଧୋନୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଭାରତ ପାଇଁ ୩ଟି ଯାକ ଆଇସିସି ଟ୍ରଫି ବିଜୟୀ ହୋଇଛନ୍ତି । ଭାରତୀୟ କ୍ରିକେଟର ବ୍ୟତୀତ ଲେଫ୍ଟିନାଣ୍ଟ କର୍ଣ୍ଣେଲ ଭାବରେ ମଧ୍ୟ ସେ ଦେଶସେବାରେ ନିୟୋଜିତ ରହିଛନ୍ତି । କ୍ରିକେଟରେ ଅନେକ ଇତିହାସ ସୃଷ୍ଟି କରିବା ପରେ ପ୍ରାଦେଶିକ ସେନା ଦ୍ୱାରା ମାହିଙ୍କୁ ଲେଫ୍ଟିନାଣ୍ଟ କର୍ଣ୍ଣେଲ ପଦରେ ସମ୍ମାନିତ କରାଯାଇଛି । ତେବେ ଏହି ପଦରେ ନିଯୁକ୍ତି ପାଇବା ପରେ ସେ ଅନେକ ସମୟରେ ସେନାର ଟ୍ରେନିଙ୍ଗ ନେଉଥିବାର ଦେଖାଯାଇଛି ।

ସଚିନ୍ ତେନ୍ଦୁଲକର: କ୍ରିକେଟର ‘ଗଡ୍’ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ବଡ଼ ପଦବୀରେ ନିଯୁକ୍ତ କରାଯାଇଛି । ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଭାବରେ ସଚିନ୍ ତେନ୍ଦୁଲକର ସମ୍ମାନିତ ହୋଇଥିଲେ । ବାୟୁସେନା ପୋଷାକରେ ସଚିନଙ୍କ ଅନେକ ଫଟୋ ଏବେ ବି ଇଣ୍ଟରନେଟରେ ଘୁରି ବୁଲୁଛି ।

କପିଳ ଦେବ: ଭାରତ କ୍ରିକେଟ ଇତିହାସର ପ୍ରଥବ ବିଶ୍ୱବିଜୟୀ ଅଧିନାୟକ କପିଳ ଦେବ, ସେ ମଧ୍ୟ ଭାରତୀୟ ସେନାର ଜଣେ ପ୍ରମୁଖ ଅଂଶ ପାଲଟିଛନ୍ତି । ଟିମ ଇଣ୍ଡିଆକୁ ପ୍ରଥମ ଥର ବିଶ୍ୱ ଚମ୍ପିଆନ୍ କରିବା ପରେ କପିଳ ଦେବଙ୍କୁ ମଧ୍ୟ ଲେଫ୍ଟିନାଣ୍ଟ କର୍ଣ୍ଣେଲ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଉମେଶ ଯାଦବ: ଭାରତୀୟ ପେସ୍ ବୋଲର ଉମେଶ ଯାଦବ ମଧ୍ୟ ସରକାରୀ ଚାକିରିରେ ନିୟୋଜିତ ରହିଛନ୍ତି । ପିଲାବେଳରୁ ପୋଲିସ କିମ୍ବା ସେନାରେ କାର୍ଯ୍ୟ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଉମେଶ କ୍ରିକେଟ ପରେ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ଦାୟିତ୍ୱ ତୁଲାଉଛନ୍ତି ।

ୟୁଜବେନ୍ଦ୍ର ଚହଲ: ଟିମ ଇଣ୍ଡିଆର ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ପଡ଼ିଆରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି । କିନ୍ତୁ କ୍ରିକେଟ ବ୍ୟତୀତ ବାସ୍ତବିକ ଜୀବନରେ ସେ ଜଣେ ଇନକମ୍ ଟାକ୍ସ ଅଫିସର ଭାବରେ କାଯ୍ୟ କରୁଛନ୍ତି । ୨୦୧୮ ମସିହାରେ ହରିୟାଣା ସରକାରଙ୍କ ତରଫରୁ ଜଣେ ଇନସପେକ୍ଟର ଭାବରେ ଏହି ବିଭାଗରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

କେ.ଏଲ ରାହୁଲ: ଭାରତୀୟ କ୍ରିକେଟର ୱିକେଟ କିପର ବ୍ୟାଟର କେ.ଏଲ ରାହୁଲ ସରକାରୀ ଚାକିରିରେ ନିୟୋଜିତ ରହିଛନ୍ତି । କ୍ରିକେଟ ପଡ଼ିଆରେ ଛକା-ଚୌକା ବୃଷ୍ଟି କରୁଥିବା ରାହୁଲ ରିଜର୍ଭ ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟରତ ରହିଛନ୍ତି ।

କେମିତି ମିଳେ ସରକାରୀ ଚାକିରି?

ସରକାରୀ ଚାକିରିରେ ନିଯୁକ୍ତି ପାଇବା ପାଇଁ ଏକ ସ୍ପୋର୍ଟସ କୋଟା ରହିଛି । ଏହି କୋଟାରେ ବିଶ୍ୱବିଦ୍ୟାଳୟ ସ୍ତରରୁ ନେଇ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସରକାରୀ ଚାକିରିରେ ନିଯୁକ୍ତି ପାଇଥାନ୍ତି ଭାରତୀୟ ଖେଳାଳି । ଏହାବ୍ୟତୀତ ରାଜ୍ୟ ତଥା କେନ୍ଦ୍ର ସରକାର ଯେକୌଣସି ଖେଳାଳିଙ୍କୁ ଏକ ସରକାରୀ ଚାକିରିରେ ସିଧାସଳଖ ଭାବରେ ନିଯୁକ୍ତି ପ୍ରଦାନ କରିପାରିବେ । ଅର୍ଥାତ୍ ଖେଳାଳିମାନଙ୍କୁ ସରକାରୀ ଚାକିରି ପାଇଁ କୌଣସି ଆବେଦନ କରିବାକୁ ପଡ଼େ ନାହିଁ କିମ୍ବା କୌଣସି ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଏପରିକି କୌଣସି ପଦବୀ ଖାଲି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ି ନଥାଏ ।

Get real time updates directly on you device, subscribe now.