fbpx

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଯୁଦ୍ଧ ପାଇଁ ପ୍ରସ୍ତୁତ ବିଜେଡି-ବିଜେପି-କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୫ ତାରିଖରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଭୋଟିଂ ହେବ । ତେବେ ଆସନ୍ତା ୧୭ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ନଭେମ୍ବର ୨୧ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଏ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡ଼ିଛି ।

ଆସନ୍ତା ମାସ ୫ ତାରିଖରେ ଉପନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହୋଇଥିବା ବେଳେ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ପକ୍ଷରୁ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷଙ୍କ ନାମ ଘୋଷଣା କରାଯାଇଛି । ଆସାମ-ମେଘାଳୟ କ୍ୟାଡର ଆଇଏଏସ ମାନବେନ୍ଦ୍ର ପ୍ରତାପ ସିଂହଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇଛି । ସେ ନଭେମ୍ବର ୧୭ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ମୁତୟନ ରହିବେ । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଶାସକ ବିଜେଡିକୁ ଜୋରଦାର ଝଟକା ଲାଗିଥିଲା । ଏହି ଆସନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିଥିଲେ । ଉପନିର୍ବାଚନରେ ପୂର୍ବରୁ ବିଜେଡି ଏକାଧିକ ସଫଳତା ହାସଲ କରିଥିଲେ ମଧ୍ୟ ତାହା ଧାମନଗରରେ ଉପନିର୍ବାଚନରେ ଦେଖିବାକୁ ମିଳିନଥିଲା । ତେଣୁ ନିର୍ବାଚନୀ ତ୍ରୁଟିକୁ ସୁଧାରି ଏଥର ଉପନିର୍ବାଚନକୁ ଓହ୍ଲାଇବ ବିଜେଡି । ଅନ୍ୟପକ୍ଷରେ ବିଜେପି ମଧ୍ୟ ଦୃଢ଼ ମନୋବଳ ନେଇ ଧାମନଗରର ସଫଳତା ଦୋହରାଇବାକୁ ପ୍ରୟାସ କରିବ । ସେହିପରି କଂଗ୍ରେସ ନୂତନ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ।

Get real time updates directly on you device, subscribe now.