ଅହମ୍ମଦାବାଦ, ୨୧ା୪: କରୋନାର ସଂକ୍ରମଣ ବୃଦ୍ଧିକୁ ଦେଖି ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ରାଜ୍ୟର ସମସ୍ତ ବେସରକାରୀ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ପ୍ରାଇଭେଟ ହସ୍ପିଟାଲରେ କରୋନୀ ରୋଗୀ ଚିକିତ୍ସିତ ହୋଇପାରିବେ ବୋଲି ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସମସ୍ତ ପ୍ରାଇଭେଟ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମମାନଙ୍କରେ କରୋନା ରୋଗୀଙ୍କ ଚିକିତ୍ସା କରାଯିବ । ଏଥିପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବାର ଆବଶ୍ୟକତା ନାହିଁ । ଏହି ଚିକିତ୍ସା ପାଇଁ କେବଳ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ପଡ଼ିବ । ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ଏହି ଚିକିତ୍ସା ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ସମସ୍ତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଘୋଷଣା କରିଛନ୍ତି । କର୍ମଚାରୀମାନେ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ତିନି ମାସର ଅଲଗା ଦରମା ପ୍ରୋତ୍ସାହନ ରାଶି ଆକାରରେ ପାଇବେ ବୋଲି କୁହାଯାଇଛି ।