ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । କର୍କଟ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆଶ୍ୱସ୍ତି ଦେଇଛନ୍ତି । କ୍ୟାନସର ଚିକିତ୍ସାରେ ବ୍ୟବହାର କରାଯାଉଥିବା ୩ଟି ପ୍ରମୁଖ ମେଡିସିନର ଦାମ୍ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ଟି ଆଣ୍ଟି-କ୍ୟାନସର ଔଷଧ ଟ୍ରାଷ୍ଟୁଜୁମାବ, ଓସିମର୍ଟିନିବ ଓ ଡୁର୍ବାଲୁମାବର ସର୍ବାଧିକ ଖୁଚୁରା ଦର (ଏମଆରପି) କମ୍ କରିବାକୁ ରାଷ୍ଟ୍ରୀୟ ଔଷଧି ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ନିର୍ଦ୍ଦେଶ ଦେଇଛି । କର୍କଟ ରୋଗୀଙ୍କୁ ଶସ୍ତାରେ ଔଷଧ ଯୋଗାଇଦେବା ଲକ୍ଷ୍ୟଷର କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ସ୍ତନ କ୍ୟାନସର ଚିକିତ୍ସାରେ ଟ୍ରାଷ୍ଟୁଜୁମାବର ଉପଯୋଗ କରାଯାଇଥାଏ । ସେହିପରି ଫୁସଫୁସ କ୍ୟାନସରରେ ଓସିମର୍ଟିନିବ ଓ ଏହି ଦୁଇ କ୍ୟାନସରର ଚିକିତ୍ସ ପାଇଁ ଡୁର୍ବାଲୁମାବର ବ୍ୟବହାର କରାଯାଇଥାଏ । ନିକଟରେ ଏହି ମେଡିସିନ ଉପରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଦର ହ୍ରାସ କରାଯାଇଥିଲା । ସେହିପରି କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ଏହି ଔଷଧଗୁଡ଼ିକ ଉପରୁ କଷ୍ଟମ ଡ୍ୟୁଟିକୁ ମଧ୍ୟ ହଟାଇ ଦିଆଯାଇଥିଲା । ତେବେ ସରକାରଙ୍କ ମୁତାବକ, ଏହି ହ୍ରାସର ପ୍ରଭାବ ମେଡିସିନର ଦାମ୍ ଉପରେ ମଧ୍ୟ ଦେଖାଯିବା ଆବଶ୍ୟକ । ସେଥିପାଇଁ ସରକାର ଏହି ଔଷଧର ଏମଆରପି କମ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଏହି ସବୁ ମେଡିସିନ ଉପରୁ କଷ୍ଟମ ଡ୍ୟୁଟିକୁ ପୂର୍ବରୁ ସମାପ୍ତ କରିଦେଥିଲା । ନିକଟରେ ସରକାର ଏହି ମେଡିସନ ଉପରୁ ଜିଏସଟି ଦର ୧୨ରୁ ହଟାଇ ୫ ପ୍ରତିଶତ କରିଥିଲେ । ସେଥିପାଇର୍ କମ୍ପାନୀମାନେ ଏହାର ଏମଆରପି ଅକ୍ଟୋବର ୧୦ ତାରିଖ ପୂର୍ବରୁ କମ୍ କରିବାର ଥିଲେ । ମୂଲ୍ୟ ହ୍ରାସ କରିବା, ସମସ୍ତ ଡିଲର, ଔଷଧି ନିୟନ୍ତ୍ରକ, ସରକାରଙ୍କୁ ମୂଲ୍ୟ ପରିବର୍ତ୍ତନ ବିଷୟରେ ସୂଚନା ଦେବାକୁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।