fbpx

ନୂତନ ଆଧାର ପାଇଁ NRC ନମ୍ବର ବାଧ୍ୟତାମୂଳକ, ଅକ୍ଟୋବର ୧ରୁ ଲାଗୁ ହେବ ନିୟମ

ଦିସପୁର: ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ରାଜ୍ୟରେ ବୃଦ୍ଧି ପାଉଥିବା ଅବୈଧ ବିଦେଶୀ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସାମ ସରକାର ଆଧାର କାର୍ଡ଼ ତିଆରି କରିବାକୁ ନେଇ ଆହୁରି କଠୋର ହୋଇଯାଇଛନ୍ତି । ନୂତନ ଆଧାର କାର୍ଡ଼ ତିଆରି କରିବା ପାଇଁ ଏକ SOP ପ୍ରସ୍ତୁତ କରାଯିବ ଯାହା ଚଳିତ ବର୍ଷ ୧ ଅକ୍ଟୋବରରୁ ଲାଗୁ ହେବ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମାଙ୍କ ଅନୁଯାୟୀ ରାଜ୍ୟରେ ଆଧାର କାର୍ଡ଼ ପାଇଁ ଆସିଥିବା ଆବେଦନ ଜନସଂଖ୍ୟା ତୁଳନାରେ ବହୁତ ଅଧିକ । ଏହା ରାଜ୍ୟରେ ସନ୍ଦିଗ୍ଧ ନାଗରିକକୁ ଦର୍ଶାଉଥିବା ସେ କହିଛନ୍ତି । ସେଥିପାଇଁ ରାଜ୍ୟରେ ଆଧାର କାର୍ଡ଼କୁ ନେଇ ନିୟମ କଡ଼ାକଡ଼ି କରାଯିବ । ଏଥିପାଇଁ ଆବେଦନକାରୀଙ୍କୁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(NRC)ର ଆବେଦନ ରସିଦ ନମ୍ବର ଜମା କରିବାକୁ ପଡ଼ିବ । ଏହା ଦ୍ୱାରା ଅବୈଧ ବିଦେଶୀଙ୍କ ପ୍ରବେଶ ଉପରେ ରୋକ୍ ଲାଗି ପାରିବ । ତେବେ NRC ଆବେଦନ ରସିଦ ନମ୍ବର ୯.୫୫ ଲକ୍ଷ ଲୋକଙ୍କ ଉପରେ ଲାଗୁ ହେବ ନାହିଁ ଯାହାଙ୍କ ବାୟୋମେଟ୍ରିକ୍ ପ୍ରକ୍ରିୟା ସମୟରେ ଲକ୍ କରିଦିଆଯାଇଥିଲା । ଚାହା ବଗିଚା ଥିବା ଅଞ୍ଚଳରେ ଏହା ଲାଗୁ କରାଯିବନି କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ୍ ମେଶିନ ଉପଲବ୍ଧ ନ ହେବା ଭଳି ସମସ୍ୟା ହେତୁ ଲୋକମାନେ ଆଧାର କାର୍ଡ଼ ପାଇନାହାଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ରାଜ୍ୟରେ ଏପରି ୪ଟି ଜିଲ୍ଲା ରହିଛି ଯେଉଁଠି ଅନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାର କାର୍ଡ଼ ପାଇଁ ଅଧିକ ଆବେଦନ ଆସିଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାରପେଟା(୧୦୩.୭୪% ଆଧାର କାର୍ଡ଼ ଆବେଦନ), ଧୁବରୀ(୧୦୩%), ମୋରିଗାୱଁ(୧୦୧%) ଏବଂ ନାଗାୱଁ(୧୦୧%) । ଗତ ମାସ ରାଜ୍ୟରେ ୨ ଜଣ ବାଂଲାଦେଶୀ ଧରାପଡ଼ିବା ପରେ ରାଜ୍ୟ ତଥା ସୀମାବର୍ତ୍ତୀ ଅଞ୍ଚଳରେ ଅବୈଧ ବିଦେଶରୀଙ୍କ ଚିହ୍ନଟ ପ୍ରକ୍ରିୟା ବୃଦ୍ଧି କରିଦିଆଯାଇଛି ।

 

Get real time updates directly on you device, subscribe now.