ନୂଆପଡ଼ାରେ ତ୍ରିମୁଖୀ ଲଢ଼େଇ ; କିଏ ମାରିବ ଉପନିର୍ବାଚନରେ ବାଜି, ବିଜେଡି ହାତରୁ ଖସିବ କି…

୨୦୨୪ ନିର୍ବାଚନ ପରେ ରାଜ୍ୟ ଦେଖିବାକୁ ଯାଉଛି ପ୍ରଥମ ଉପନିର୍ବାଚନ। କିଏ ମାରିବ ଉପନିର୍ବାଚନରେ ବାଜି

ଭୁବନେଶ୍ୱର:୨୦୨୪ ନିର୍ବାଚନ ପରେ ରାଜ୍ୟ ଦେଖିବାକୁ ଯାଉଛି ପ୍ରଥମ ଉପନିର୍ବାଚନ। ଯାହା ୩ ଦଳ ପାଇଁ ଏସିଡ ଟେଷ୍ଟ ସାବ୍ୟସ୍ତ ହେବାକୁ ଯାଉଛି। ଦେଖିବାକୁ ଗଲେ ନୂଆପଡା ଆସନରେ ଘମାଘୋଟ ଲଢେଇ ହେବାକୁ ଯାଉଛି। ତ୍ରିମୁଖୀ ଲଢେଇ ଭିତରେ ୩ଦଳ ନିର୍ବାଚନ ମୁକୁଟ ହାତେଇବା ପାଇଁ ଜୋରଦାର ପ୍ରୟାସ କରିବେ। ଯଦି ଆମେ ଗତ ନିର୍ବାଚନ ଫଳ ଉପରେ ନଜର ପକାଇବା ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ଆଶାୟୀ ଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ ନଦେବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ । ବିଶେଷ କରି ଆଦିବାସୀ ସମାଜ ଘାସିରାମଙ୍କୁ ଅଧିକ ସମର୍ଥନ ଜଣାଇ ଥିଲା ଯାହାର ଫଳ ସ୍ୱରୂପ ସ୍ୱାଧୀନରୁ ଲଢ଼ି ୫୦,୯୪୧ ଭୋଟ ହାତେଇ ଥିଲେ । କଂଗ୍ରେସରୁ ମଇଦାନକୁ ଓଲ୍ହାଇ ଥିଲେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ । ତାଙ୍କୁ ମୋଟ ୧୫,୫୦୧ ଭୋଟ ମିଳିଥିଲା। ଯଦି କଂଗ୍ରେସ ଚଳିତ ଉପନିର୍ବାଚନରେ ନୂଆପଡା ଆସନରୁ ଘାସିରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଲା ତେବେ କଂଗ୍ରେସ ଏଠାରେ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଠିକ ସେହିପରି ବିଜେପି ଏଥର ସରକାର ଗଢିଛି । ସବୁଠାରେ ଲୋକ ପ୍ରିୟତା ଏବଂ ନିଜର ୧ବର୍ଷ ପୂର୍ତ୍ତିରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଥିବାରୁ ଲୋକଙ୍କ ଭଲ ପାଇବା ଜିତିବାରେ ସମର୍ଥନ ହେଇଛି । ଗତ ଥର ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ଟିକେଟ ଦେଇଥିଲା । ଯେଉଁଥିରେ ୪୪,୮୧୪ ଭୋଟ ହାତେଇ ଥିଲେ ଅଭିନନ୍ଦନ। ଚଳିତ ଥର ବିଜେପି ହୁଏତ ବସନ୍ତ ପଣ୍ଡା ନହୁଏ ତ ପୁଅ ଅଭିନନ୍ଦନଙ୍କ ଉପରେ ଭରସା କରିବ।

ଅନୁକମ୍ପା ଭୋଟ ହାତେଇବାରେ ଧୁରନ୍ଧର ବିଜେଡି । ନିର୍ବାଚନ ହାରିବା ପରେ ମଧ୍ୟ କମିନି ନବୀନଙ୍କ ଲୋକ ପ୍ରିୟତା । ନିକଟରେ ନବୀନଙ୍କ ସ୍ୱାସ୍ଥ୍ୟଅବସ୍ଥା ଖରାପ ଥିବା ବେଳେ ତାଙ୍କୁ ଭେଟିବା ପାଇଁ ଯେଉଁ ଜନସମୁଦ୍ର ସୃଷ୍ଟି ହେଇ ଥିଲା ତାକୁ ଦେଖିଲେ ଆଶା କରା ଯାଉଛି ଲୋକ ଏବେବି ବିଜେଡିକୁ ଝୁରୁଛନ୍ତି । ଲଗାତାର ଚାରି ଚାରି ବିଜେଡିରୁ ଜିତି ଆସୁଥିବା ଢୋଲକିଆଙ୍କ ବିୟୋଗ ପରେ ବିଜେଡି ହୁଏତ ଅନୁକମ୍ପା ଭୋଟ ହାତେଇବାକୁ ପରିବାରରୁ କାହାକୁ ପ୍ରାର୍ଥୀ କରିବ ।

ଦେଖିବାକୁ ଗଲେ ୨୪ନିର୍ବାଚନ ପରେ ହେବାକୁ ଥିବା ପ୍ରଥମ ଉପନିର୍ବାଚନ ହାତେଇବାକୁ ୩ଦଳ ଖୁବ କସରତ କରିବେ । ବିଜେପିର ନୂଆକରି ସରକାର ଗଢିବା, ନବୀନଙ୍କ ଲୋକପ୍ରିୟତା ଆଉ କଂଗ୍ରେସ ଭଲ ଭୋଟ ବ୍ୟାଙ୍କ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ କଡା ଚାଲେଞ୍ଜ ହେବ । ତେବେ ଦେଖିବା ବାକି ରହିଲା ନୂଆପଡା ଉପନିର୍ବାଚନରେ ବିଜୟ ମୁକୁଟ କିଏ ପିନ୍ଧିବ।