ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସରକାରୀ ନିର୍ଦ୍ଦେଶ ନ ମାନିବା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିବ । ନିୟମ ଅବମାନନା କରୁଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୀର୍ଘ ସମୟ ଧରି ବିଭିନ୍ନ ଦାୟିତ୍ୱରେ ଥିବା ଓଏଏସ ଅଧିକାରୀମାନେ ବଦଳି ପରେ ମଧ୍ୟ ନୂଆ ସ୍ଥାନକୁ ଯାଉ ନଥିବାର ଦେଖାଯାଉଛି । ଏହାକୁ ନେଇ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚେତାବନୀ ଦେବା ସହ କଠୋର ଆଭିମୁଖ୍ୟ ପୋଷଣ କରିଥିଲେ ।
ଡିସେମ୍ବର ୧୦ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଓଏଏସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଯେଉଁ ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ବିଭାଗ ପକ୍ଷରୁ ସେମାନଙ୍କର ତାଲିକା ସଂଗ୍ରହ କରାଯାଉଛି । ଡିସେମ୍ବର ୧୧ ଅର୍ଥାତ ଆଜିଠାରୁ ଯେଉଁ ଓଏସଏସ ଅଧିକାରୀମାନେ କାର୍ଯ୍ୟରେ ଯୋଗଦେଇନଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଓଏସଏସ୍ ଅଧିକାରୀମାନଙ୍କୁ ଜିଲ୍ଲାପାଳ ସସପେଣ୍ଡ କରିବେ । ଏହାକୁ ଅନୁପାଳନ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୧୭ ଓ ସେପ୍ଟେମ୍ବର ୧୦ରେ ସରକାରୀ ବଦଳି ନିର୍ଦ୍ଦେଶ ଜାରି କରିଥିଲେ । ତେବେ ନିର୍ଦ୍ଦେଶନାମା ଜାରି କରିବା ପରେ ବି ଅନେକ ଅଧିକାରୀ ତାହାକୁ ପାଳନ କରୁନଥିବା ଦେଖାଯାଇଛି ।