fbpx

ପଙ୍କରୁ ଫୁଟିଲା ପଦ୍ମ!: ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୪ରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି ଜଣେ ଓଡ଼ିଆ ପୁଅ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ର ଲାଲୁ ପ୍ରସାଦ ଭୋଇ ୬୩ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୬ରେ ସମାପ୍ତ କରି ଲାଲୁ ଏହି ବଡ଼ ସଫଳତା ହାସଲ କରିଛନ୍ତି । ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଜିତିବା ପରେ ଏବେ କଳାହାଣ୍ଡି ମାଟିର ପୁଅ ଲାଲୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିଛି ।

ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଆଶ୍ରମପଡ଼ାର ଲାଲୁ ବେଙ୍ଗାଲୁରୁ ଠାରେୁ ଅନୁଷ୍ଠିତ ୧୦୦ ମିଟର ଜାତୀୟ ମୁକ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କୀର୍ତ୍ତମାନ ସ୍ଥାପନ ପାଇଁ ସେ ୧୦.୪୬ ସେକେଣ୍ଡ ସମୟ ନେଇଥିଲେ । ଲାଲୁଙ୍କ ଏହି ସଫଳତା ସତେ ଯେମିତି ପଙ୍କରୁ ପଦ୍ମ ଫୁଟିବା ଭଳି ହୋଇଛି । ତେଣୁ ଏହି ସଫଳତା ପରେ ଏବେ ଲାଞ୍ଜିଗଡ଼ ଅଞ୍ଚଳର ଗୌରବ ବହୁଗୁଣିତ ହୋଇ ପାରିଛି । ଏହି ସଫଳତା ପରେ କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲାଲୁଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଲାଲୁଙ୍କ ଏହି ବଡ଼ ସଫଳତା ପରେ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ ଶିକ୍ଷକମାନେ ଲାଲୁଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅତୀତରେ ଲାଲୁ ଏହି ସ୍କୁଲରେ ଅଧ୍ୟୟନ କରିଥିବା ବେଳେ ଆଜି ତାଙ୍କର ସଫଳତା ସ୍କୁଲ ପାଇଁ ନିହାତି ପଡ଼େ ବଡ଼ ଗର୍ବର ବିଷୟ । ସେହିପରି ପୁଅର ଏହି ସଫଳତା ପରେ ତାଙ୍କର ବାପା କାର୍ତ୍ତିକ ଚନ୍ଦ୍ର ଭୋଇ ଓ ମାଆ ଗୋଲାପି ଭୋଇଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଛି ।

Get real time updates directly on you device, subscribe now.