fbpx

ପୁଣି ଓଲିଉଡ୍ ଆଣିଲା ଗୌରବ: ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’ ପ୍ରଥମ ଥର ପାଇଁ କାନାଡ଼ାରେ ରିଲିଜ୍ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁମାତ୍ରାରେ କ୍ଷତି ପହଞ୍ଚାଇଥିଲା । ତେବେ କୋଭିଡ-୧୯ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଥରେ ଓଲିଉଡ ଅଣ୍ଟା ସଳଖି ଚାଲିବାକୁ ପ୍ରୟାସ କରୁଛି । ନିକଟରେ ରିଲିଜ୍ ହୋଇଥିବା କିଛି ଫିଲ୍ମକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ବାବୁସାନ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘ଦମନ’ ଦେଶର ୫୦୦ଟି ହଲରେ ରିଲିଜ ହୋଇ ଏକ ରେକର୍ଡ ସୃଷ୍ଟି କରିଥିଲା ।

ଗତ ୧୨ ତାରିଖରେ ‘ଫାଲଗୁନ ଚୈତ୍ର’ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ଓଡ଼ିଶା ସମେତ ଦୁବାଇ, ଅଷ୍ଟ୍ରେଲିଆ, ଜର୍ମାନୀ, ମାଲେସିଆ, ଇଂଲଣ୍ଡ, ଆମେରିକା ଓ କାନାଡ଼ାରେ ରିଲିଜ୍ କରାଯିବ ବୋଲି କୁହାଯାଇଥିଲା । ଆସନ୍ତା ୨୮ ତାରିଖରେ ଏହି ଫିଲ୍ମ କାନାଡ଼ାରେ ରିଲିଜ୍ ହେବ । ତେଣୁ ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆମାନେ ଓଡ଼ିଆ ସିନେମା ଦେଖିବାର ସୁଯୋଗ ପାଇବେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଫିଲ୍ମଟି ମେ ମାସ ୧୩ ତାରିଖରେ ଅଷ୍ଟ୍ରେଲିଆରେ ରିଲିଜ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ସେଠାରେ ୩ଟି ହଲରେ ଫିଲ୍ମ ରିଲିଜ୍ ହେବ ବୋଲି ଜଣାପଡ଼ିଥିଲା । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଭାସ୍ୱତୀ ବସୁ, ସୁକାନ୍ତ ରଥ, ପାର୍ଥସାରୀ ରାୟ, ବି.ଏମ. ବୈଶାଳୀ ଓ ଅନନ୍ୟା ମିଶ୍ର ଆଦି କଳାକଳାରମାନେ ଅଭିନୟ କରିଛନ୍ତି । ପିନାକୀ ସିଂହ ଓ ଶିଶିର କୁମାର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଶକ୍ତି ଜଗଦ୍ଦେବ ପ୍ରଯୋଜନା କରିଛନ୍ତି । ଆଦ୍ୟା ଜଗଦ୍ଦେଶବ ଓ ବାବୁସାନ ଫିଲ୍ମସ ବ୍ୟାନରରେ ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି । ପୂର୍ବରୁ ଫିଲ୍ମର ଟିଜର, ଟ୍ରେଲର ଓ ଗୀତକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ । ଫିଲ୍ମକୁ ଦେଖିବାକୁ ଅଭିନେତା ବାବୁସାନ ଦର୍ଶକଙ୍କୁ ନିବେଦନ କରିଥିଲେ ।

Get real time updates directly on you device, subscribe now.