fbpx

ହକି ବିଶ୍ୱକପରେ ଚମକିବେ ଓଡ଼ିଆ ଝିଅ: କୋରାପୁଟର ନମିତା ଗାଇବେ ଉଦଘାଟନୀ ସଙ୍ଗୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ ହକି ମହାକୁମ୍ଭର ସମସ୍ତ ମ୍ୟାଚ ଆୟୋଜିତ ହେବ । ଏହି ଅବସରରେ ଦେଶ ବିଦେଶରୁ ଅନେକ କ୍ରୀଡ଼ାପ୍ରେମୀ ତଥା ଅତିଥି କଳିଙ୍ଗ ଭୂମିକୁ ଆଗମନ କରିବେ । ହକି ବିଶ୍ୱକପର ଆୟୋଜନ ପୂର୍ବରୁ ଏହି ଦୁଇ ସହରକୁ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ପାଇଁ ଆଜି ଓଡ଼ିଶା ହକିର ଏନ୍ତୁଡ଼ିଶାଳା ଭାବେ ଦେଶ ବିଦେଶରେ ସୁଖ୍ୟାତି ଲାଭ କରିଛି । ଗୋଟିକ ପରେ ଗୋଟିଏ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରି ଓଡ଼ିଶା ଆଜି ପ୍ରଶଂସା ସାଉଁଟିବାରେ ଲାଗିଛି । ତେବେ ଏହି ହକି ମହାକୁମ୍ଭ ମଧ୍ୟରେ ସାରା ବିଶ୍ୱରେ ଚମକିବାକୁ ଯାଉଛନ୍ତି ଜଣେ ଓଡ଼ିଆ ଝିଅ । କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲେକା କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବର ସଙ୍ଗୀତ ଗାନ କରିବେ ।

ଆସନ୍ତା ୧୧ ତାରିଖରେ ନମିତାଙ୍କ ସ୍ୱରକୁ ଶୁଣିବ ସାରା ବିଶ୍ୱ । ତେବେ ଏହା ନିଶ୍ଚିତ ଭାବେ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ । ଏହା ମଧ୍ୟରେ ନମିତା ଗୀତ ରେକର୍ଡିଂ ପାଇଁ ମୁମ୍ବାଇ ଯାତ୍ରା କରିଥିବା ବେଳେ ସେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅରୁଣା ମହାନ୍ତିଙ୍କ ସହିତ ଯୁଗ୍ମ ଭାବେ ଏହି ସଙ୍ଗୀତ ରେକର୍ଡିଂ କରିବେ । ସେଥିପାଇଁ ତାଙ୍କୁ ଦେଢ଼ ଲକ୍ଷ ଟଙ୍କାର ପାରିଶ୍ରମିକ ପ୍ରଦାନ କରାଯିବ । ଏହି ଖବର ପ୍ରଘଟ ହେବା ପରେ ଆଦିବାସୀ ଝିଅକୁ ନେଇ ଆଜି ସମଗ୍ର କୋରୁପୁଟ ଖୁସିରେ ଝୁମି ଉଠିଛି ।

ତେବେ ଉଦଘାଟନୀ ଉତ୍ସବରେ ସଙ୍ଗୀତ ଗାନ ପାଇଁ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ନମିତାଙ୍କ ନାମ ସୁପାରିଶ କରିଥିଲେ । ଆସନ୍ତା ମାସ ୯ ତାରିଖରେ ବାରବାଟୀରେ ଉଦଘାଟନୀ ସଙ୍ଗୀତ ଯାଞ୍ଚ କରାଯିବା ପରେ ୧୦ ତାରିଖରେ ସଙ୍ଗୀତର ରିହରସାଲ୍ କରାଯିବ । ତେବେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ପାଇଁ ବଲିଉଡର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଗତ କରୋନା ସମୟରେ ଆଦିବାସୀ ଗାଁର ଚିନ୍ତାଗୁଡ଼ାର ନମିତା ଲୋକଲୋଚନକୁ ଆସିଥିଲେ ।

Get real time updates directly on you device, subscribe now.