Odisha Budget: ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ 30 ହଜାର ଦେବେ ସରକାର
ମହାପୁରୁଷଙ୍କ ସମ୍ମାନରେ ପ୍ରତିଷ୍ଠା ହେବ ସ୍ମାରକୀ ।
ଭୁବନେଶ୍ବର: ଆର୍ଥିକ ବର୍ଷ 2025-26 ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ତେବେ ଚଳିତ ବର୍ଷ ବଜେଟରେ ଓଡ଼ିଆ ଅସ୍ମିତାକୁ ସ୍ଥାନ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୪୮୨ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ଓଡ଼ିଆ ଅସ୍ମିତା ପାଇଁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିପରି ମହାପୁରୁଷ ନୀଳକଣ୍ଠ ଦାସଙ୍କ ପ୍ରତିମୂର୍ତ୍ତି ତାଙ୍କର ଜନ୍ମଭୂମିରେ ପ୍ରତିଷ୍ଠା ପାଇଁ ୧୦ କୋଟି ଟଙ୍କା ଅଟକଳ ରଖାଯାଇଛି ।
ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗଠନ ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।
ରାଜ୍ୟର ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ୨୦୨୫ ଜାନୁଆରିରୁ ମାସିକ ୩୦୦୦୦ ଟଙ୍କା ପ୍ରଦାନ କରାଯିବ । ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶ କରିବ । ସ୍ବାଧୀନତା ସଂଗ୍ରାମୀ ଧରଣୀଧର ନାଏକଙ୍କ ଜନ୍ମସ୍ଥଳୀରେ ସ୍ମାରକୀ ନିର୍ମାଣ କରାଯିବ ।