fbpx

ଆଗକୁ ଓଡ଼ିଶା ବଜେଟ୍: ମହିଳା, ଯୁବ, କ୍ରୀଡା ଓ ସଂସ୍କୃତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ

ଓଡ଼ିଶା ଭାସ୍କର: ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ। ଏହି ବୈଠକରେ ପାଖାପାଖି ୨.୫ ଲକ୍ଷ କୋଟିର ବଜେଟ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ତେବେ ଗତ ୧ ତାରିଖରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଆଗତ କରିଥିବା ବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ବୋଲି କୁହାଯାଉଛି । ତା’ ପୂର୍ବରୁ ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ତେଣୁ ଏହି ଅଧିବେଶନ ପୂର୍ବରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଚଳିତ ବଜେଟରେ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି। ସେହିପରି ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ପ୍ରତି ଫୋକସ୍ କରିପାରନ୍ତି।

ତେବେ ମହିଳା, ଯୁବ ଓ କ୍ରୀଡାକୁ ଲଗାତାର ଗୁରୁତ୍ୱ ଦେଇ ଆସୁଛନ୍ତି ରାଜ୍ୟ ସରକାର। ସେହିପରି ବର୍ତ୍ତମାନ ସରକାର ସଂସ୍କୃତି, ଶିକ୍ଷା ଓ ଭାଷାକୁ ମଧ୍ୟ ଅଧିକରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଣୁ ଏହାକୁ ଦୃଷ୍ଟିରେ ରଖିଲେ, ରାଜ୍ୟ ସରକାର ଏସବୁ କ୍ଷେତ୍ର ପ୍ରତି ଅଧିକ ଫୋକସ୍ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ପୂର୍ବରୁ ସ୍ୱାସ୍ଥ୍ୟ ଦିଗରେ ମଧ୍ୟ ରାଜ୍ୟ ସରକାର ଅନେକ ସାରା ଯୋଜନା କରି ସ୍ୱତନ୍ତ୍ର ସ୍ଥାନ ନେଇଛନ୍ତି। ତେବେ ଆସନ୍ତୁ, ସଂକ୍ଷେପରେ ନଜର ପକାଇବା କେଉଁ କ୍ଷେତ୍ର ପାଇଁ ସରକାର କେଉଁ ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି:-

ମହିଳା:- ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ, ଋଣ, ଗମନାଗମନ ସୁବିଧା, ବିଭିନ୍ନ ସଂସ୍ଥା ପରିଚାଳନା କ୍ଷେତ୍ରରେ ନିଯୁକ୍ତି ଓ ଦାୟିତ୍ୱ
ଯୁବ:- ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି, ଯୁବକଙ୍କୁ ପ୍ରାଧାନ୍ୟ, ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷତା ବୃଦ୍ଧି କରାଇବା
କ୍ରୀଡା:- ବିଶ୍ୱ ସ୍ତରୀୟ ହକି ଓ ଫୁଟବଲ ଖେଳ ଆୟୋଜନ, କ୍ରୀଡା ପ୍ରଶିକ୍ଷଣ ଶିବିର,ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତରୁ ଆରମ୍ଭ କରି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା
ସଂସ୍କୃତି:- ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଭଳି ବିଭିନ୍ନ ମଠ ମନ୍ଦିରର ଉନ୍ନତିକରଣ, ବିଶ୍ୱ ସ୍ତରୀୟ ଭାଷା ସମ୍ମିଳନୀ
ଶିକ୍ଷା:- ଫାଇଭ-ଟି ଅଧୀନରେ ସ୍କୁଲ ଓ କଲେଜର ରୂପାନ୍ତରୀକରଣ, ଶିକ୍ଷା ସହାୟତା ରାଶି, ମେଧାବୀ ଛାତ୍ରବୃତ୍ତି, ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା
ସ୍ୱାସ୍ଥ୍ୟ:-ଅତ୍ୟାଧୁନିକ ମେଡିକାଲ ସେବା, ବିଏସକେୱାଇ ନବୀନ କାର୍ଡରେ ମାଗଣା ସ୍ୱାସ୍ଥ୍ୟ ସେବା, ମାଗଣା ଔଷଧ ବିତରଣ, ତୁରନ୍ତ ଆମ୍ବୁଲାନ୍ସ ସେବା

 

Get real time updates directly on you device, subscribe now.