ଇଞ୍ଜିନିୟରିଂଙ୍କୁ କେଉଁ ଯନ୍ତ୍ରପାତି ମିଳିଲେ ନିଜ କାମ କରିବେ ଜଣାନ୍ତୁ, ଯନ୍ତ୍ରୀ ବସିଛନ୍ତି ଆଉଟ୍‌ସୋସିଂ କାହିଁକି ?

ଭୁବନେଶ୍ୱର: ରାଜ୍ୟର ପୂର୍ତ୍ତ ଓ ଜଳସମ୍ପଦ ବିଭାଗରେ ଇଞ୍ଜିନିୟରମାନଙ୍କ କାର୍ଯ୍ୟଦକ୍ଷତା ଓ ଆଉଟ୍‌ସୋସିଂ ପ୍ରଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ସର୍ଭେ, ଅନୁସନ୍ଧାନ, ଡିଜାଇନ୍, ଏଷ୍ଟିମେଟ୍ ଓ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି କାମ ସରକାରୀ ଇଞ୍ଜିନିୟରମାନେ ନକରି ବେସରକାରୀ ସଂସ୍ଥାଙ୍କ ମାଧ୍ୟମରେ ଆଉଟ୍‌ସୋସିଂ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପୂର୍ତ୍ତ ଓ ଜଳସମ୍ପଦ ବିଭାଗରେ ମୁଖ୍ୟ ଯନ୍ତ୍ରୀ (ଡିଜାଇନ୍ ଓ ପ୍ଲାନିଂ), ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ରହିଥିବା ବେଳେ ଏହି ଅଧିକାରୀମାନେ ପ୍ରକଳ୍ପ ସମ୍ପର୍କୀୟ ମୌଳିକ କାର୍ଯ୍ୟ ଯଥା ପ୍ଲାନିଂ, ଡିଜାଇନ୍ କିମ୍ବା ଏଷ୍ଟିମେଟ୍ ପ୍ରସ୍ତୁତି କରୁନଥିବା ଅଭିଯୋଗ ଉଠିଛି। ଏପରିକି କୌଣସି ପ୍ରକଳ୍ପର ଖର୍ଚ୍ଚ ଓ ସମୟସୀମା ନିର୍ଦ୍ଧାରଣ ମଧ୍ୟ ବେସରକାରୀ ସଂସ୍ଥାଙ୍କୁ ଦିଆଯାଉଛି, ଯାହା ସରକାରୀ ବିଭାଗର ଦାୟିତ୍ବହୀନତାକୁ ପ୍ରକାଶ କରୁଛି।

ମୁଖ୍ୟମନ୍ତ୍ରୀ ମାଝୀ ଏକ ନୋଟ୍‌ସିଟ୍ ଜାରି କରି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କୁ ଏହି ବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଦକ୍ଷ ଇଞ୍ଜିନିୟରମାନେ ସରକାରୀ ବିଭାଗରେ ଥାଇ ମଧ୍ୟ କାହିଁକି ଏହି କାର୍ଯ୍ୟଗୁଡ଼ିକୁ ଆଉଟ୍‌ସୋସିଂ କରାଯାଉଛି। ପୂର୍ବରୁ ସରକାରୀ ଇଞ୍ଜିନିୟରମାନେ ଏହି କାର୍ଯ୍ୟ କରୁଥିବା ବେଳେ ଏବେ କାହିଁକି ସେମାନେ ଏଥିରୁ ବିମୁଖ ହେଉଛନ୍ତି, ଏହାର ରହସ୍ୟ ଉଦ୍‌ଘାଟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ, ଗତ ୧୦ ବର୍ଷରେ କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥାକୁ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ଆଉଟ୍‌ସୋସିଂ ମାଧ୍ୟମରେ ପ୍ରଦାନ କରିଛି, ତାହାର ସବିଶେଷ ତଥ୍ୟ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଉଟ୍‌ସୋସିଂ ପାଇଁ ବର୍ଷକୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାରୀ ଇଞ୍ଜିନିୟରମାନେ ମାସିକ ଦରମା ନେଉଥିବା ସତ୍ତ୍ୱେ ମୌଳିକ କାର୍ଯ୍ୟରେ ଅଂଶଗ୍ରହଣ ନକରିବା ଗୁରୁତର ଚିନ୍ତାର ବିଷୟ ହୋଇଛି।