fbpx

ଓଡ଼ିଶା କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା: ବୃଦ୍ଧି ପାଇଲା ଆବେଦନ ତାରିଖ, କେମିତି ହେବ ଚୟନ?

ଭୁବନେଶ୍ୱର: ଓଡ଼ିଶା କନେଷ୍ଟବଳ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ଓଡ଼ିଶା କନେଷ୍ଟବଳ ପାଇଁ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରାଇଛନ୍ତି ସରକାର । ଏ ନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଅଫିସିଆଲ ୱେବସାଇଟକୁ ଯାଇ ଏହି ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଓଡ଼ିଶା କନେଷ୍ଟବଳ ପଦବୀରେ ମୋଟ ୧୩୬୦ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଦଶହରା ତଥା ଅନ୍ୟାନ୍ୟ ଛୁଟିକୁ ଦୃଷ୍ଟିରେ ରଖି ସରକାର ଆବେଦନର ଶେଷ ତାରିଖରେ ବୃଦ୍ଧି କରାଇଛନ୍ତି ।

ସୂଚନା ଅନୁସାରେ, କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ ଅଧିକ ସମୟ ଦିଆଯାଇଛି । ଏ ନେଇ ଅଧିକାରୀଙ୍କ ତରଫରୁ ସୂଚନା ଜାରି କରାଯାଇଛି । ରାଜ୍ୟ ଚୟନ ବୋର୍ଡ(SSB) ଜାରି କରିଥିବା ସୂଚନାରେ କୁହାଯାଇଛି ଯେ, ଓଡ଼ିଶାରେ ପୂଜା ଛୁଟିକୁ ଦୃଷ୍ଟିରେ ରଖି ଆବେଦନର ଶେଷ ତାରିଖକୁ ବୃଦ୍ଧି କରାଯାଇଛି । ଏଣିକି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଏହି ପଦ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ତେବେ ମହିଳା, ଟ୍ରାନ୍ସଜେଣ୍ଡର ଏବଂ ବେଞ୍ଚମାର୍କ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ନାହିଁ ବୋଲି କୁହାଯାଇଛି ।

ପ୍ରାର୍ଥୀଙ୍କ ଚୟନ ପାଇଁ ମାନଦଣ୍ଡ

  • ପ୍ରାର୍ଥୀଙ୍କ ବୟସ ୨୦୨୪ ଜାନୁୟାରୀ ୧ ସୁଦ୍ଧା ୧୮ ବର୍ଷରୁ ଅଧିକ ଏବଂ ୨୩ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ତେବେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସସୀମାରେ ଛାଡ଼ ଦିଆଯିବ ।
  • କନେଷ୍ଟବଳ ପଦ ପାଇଁ ପ୍ରାର୍ଥୀ ଦଶମ କିମ୍ବା ଏହାର ସମକକ୍ଷ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ । ମାଟ୍ରିକୁଲେସନ୍ ପରୀକ୍ଷାରେ ଓଡ଼ିଆ ବିଷୟ ମଧ୍ୟ ରହିଥିବା ଆବଶ୍ୟକ ।
  • ପ୍ରାର୍ଥୀଙ୍କ ଭଲ ଚରିତ୍ର ଏବଂ ସ୍ୱାସ୍ଥ୍ୟ, ଜୈବିକ ଦୋଷ ଏବଂ ଶାରୀରିକ ବିକୃତିରୁ ମୁକ୍ତ ତଥା ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ ।
  • ଏହାବ୍ୟତୀତ ଆବେଦକ ଓଡ଼ିଆରେ କହିବା ସହ ଲେଖିବା ଏବଂ ପଢିବାରେ ସକ୍ଷମ ହୋଇଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ୪ଟି ପର୍ଯ୍ୟାୟରେ କରାଯିବ । କମ୍ପ୍ୟୁଟର-ଆଧାରିତ ଭର୍ତ୍ତି ପରୀକ୍ଷା, ଶରୀରିକ ମାନକ ଏବଂ ଶରୀରିକ ଦକ୍ଷତା ପରୀକ୍ଷଣ, ଏକ ଡ୍ରାଇଭିଙ୍ଗ ଟେଷ୍ଟ ଏବଂ ଏକ ମେଡିକାଲ ପରୀକ୍ଷା ।

Get real time updates directly on you device, subscribe now.