fbpx

ରାତି ପାହିଲେ ମାଟ୍ରିକ ପରୀକ୍ଷା: ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର: ରାତି ପାହିଲେ ମାଟ୍ରିକ ବୋର୍ଡ ପରୀକ୍ଷା। ତେଣୁ ଏହାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାପଡିଛି। ପରୀକ୍ଷାକୁ ସଠିକ ଭାବରେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ବିଶେଷକରି ଚଳିତବର୍ଷ କପି ରୋକିବା ପାଇଁ ନୂଆ ଫର୍ମୁଲା ଆପଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ସେହିପରି ଏଥର ମାଟ୍ରିକ ପରୀକ୍ଷାରେ ବୋର୍ଡ ପକ୍ଷରୁ କିଛି ନୂଆ ନିୟମ ମଧ୍ୟ ଲାଗୁ କରାଯାଇଛି।

ସୂଚନା ଅନୁସାରେ, ଏଥର ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ୭ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ଅନ୍ୟପଟେ ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା ହଲ୍‌କୁ ପ୍ରବେଶ ଅନୁମତି ମିଳିବନାହିଁ ବୋଲି କୁହାଯାଇଛି। ସେହିପରି କପି ରୋକିବା ପାଇଁ ଏଥର ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯିବ। ଉକ୍ତ ପର୍ଯ୍ୟବେକ୍ଷକ ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ୟ୍ୟ ଟିକିନିଖି ତଦାରଖ କରିବେ। ତେବେ ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ସେପଟେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ।

ଅନ୍ୟପଟେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହେଉଥିବା କପି ଏବଂ ପରିଚାଳନାରେ ତ୍ରୁଟିଗୁଡ଼ିକୁ ରୋକିବା ପାଇଁ ସେଣ୍ଟରଗୁଡ଼ିକରେ AI ଆଧାରିତ ସିସିଟିଭି ଲଗାଯିବ । ଶିକ୍ଷା ପରିଷଦର ଏହି ପଦକ୍ଷେପ ଦ୍ୱାରା ପରୀକ୍ଷା ପରିଚାଳନାରେ ସୁଦାର ଏବଂ ସଂସ୍କାର ଆସିପାରିବ ବୋଲି ଆଶା କରାଯାଉଛି । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ତେବେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ସମେତ ଇନଭିଜିଲେଟର ଓ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ଉପରେ AI ସହାୟତାରେ ନଜର ରଖିବ ବୋର୍ଡ।

ଏଠାରେ କହି ରଖୁ ଯେ, ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହେବ। ସେହିପରି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହେବ। ଏ ବର୍ଷଠାରୁ ପୁଣି ପୁରୁଣା ଢାଞ୍ଚାରେ ପରୀକ୍ଷା ହେବ। ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍ ଏବଂ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି।

Get real time updates directly on you device, subscribe now.