fbpx

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଏପ୍ରିଲ ୮ରୁ ସକାଳୁଆ ଚାଲିବ କୋର୍ଟ

ଓଡ଼ିଶା ଭାସ୍କର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ପକ୍ଷରୁ ସକାଳୁଆ ଅଦାଲତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ ୮ରୁ ସମଗ୍ର ରାଜ୍ୟରେ ଜିଲ୍ଲା ଓ ନିମ୍ନ ଅଦାଲତଗୁଡ଼ିକ ସକାଳୁଆ କାର୍ୟ୍ୟ କରିବ। ତେବେ ସେହିଦିନଠାରୁ ଅଦାଲତଗୁଡ଼ିକ ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏଥିସହ ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ ବୋଲି ସୂଚନା ଦିଆଯାଇଛି। ତେବେ ଗ୍ରୀଷ୍ମ ଛୁଟି ହେବା ପର୍ୟ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଏବଂ ପୁରୀ ସଦର ଅଦାଲତ ବ୍ୟତୀତ ଅନ୍ୟ ସବୁ କୋର୍ଟରେ ସକାଳ ୭.୩୦ରୁ ୧୨. ୩୦ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ପରିଚାଳନା କରାଯିବା ନେଇ ହାଇକୋର୍ଟ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସୂଚନା ଥାଉକି, ଅନ୍ୟପଟେ ମଧ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧ ତାରିଖରୁ ସକାଳୁଆ ସ୍କୁଲ ଚାଲିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏପ୍ରିଲ ୨ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠ ପଠାଯିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ କ୍ଲାସ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ସୂଚନା ଯୋଗ୍ୟ, ଶନିବାର ଅର୍ଥାତ ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗିରରେ ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। ତାତିରୁ ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର ଓ କଟକ। ଭୁବନେଶ୍ୱରରେ ୩୭ ଡ଼ିଗ୍ରୀ ଓ କଟକରେ ୩୭.୬ ତାପମାତ୍ରା ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Get real time updates directly on you device, subscribe now.