ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରିବାର ମଞ୍ଚ ‘ଓଡିଶା ପର୍ବ’: ଝଲସିବ ଓଡ଼ିଆ କଳା ସଂସ୍କୃତି, ଯୋଗଦେବେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ଓଡିଶାର କଳା ସଂସ୍କୃତି । ଆଜିଠୁ ଆରମ୍ଭ ହେବ ଓଡିଶା ପର୍ବ 2024 । ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଓଡିଆ ସମାଜ ପକ୍ଷରୁ ପ୍ରତିବର୍ଷ  ଦିଲ୍ଲୀର ଜାତୀୟ ମଞ୍ଚରେ ଏହି ପର୍ବ ଆୟୋଜିତ କରାଯାଉଛି  । ଜବାହାର ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଦ ଦେବେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ନେଇ ସୂଚନା ରହିଛି । ଏହି ପର୍ବରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା, ନୃତ୍ୟ, ସଙ୍ଗୀତ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ନିଆରା ସଙ୍ଗମ ଦେଖିବାକୁ ମିଳିବ ।

ପ୍ରଥମ ଥର ପାଇଁ ଏହି ପର୍ବ 2017 ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଲେନରେ ଅନୁଷ୍ଠିତ ହୋଇଥିଲା । ଏହାପରେ 2018 ଏବଂ 19ରେ ପାଳିତ ହୋଇଥିବା ବେଳେ 2020ରେ ମହାମାରୀ ପାଇଁ ବାତିଲ ହୋଇଥିଲା । ପରେ 2021 ଏବଂ 22 ମସିହାରେ ଭର୍ଚୁଆଲରେ କାର୍ଯ୍ୟକ୍ରମ ହୋଇଥିଲା । ତେବେ ଚଳିତ ବର୍ଷ ଓଡିଆ ପର୍ବ-2024 ରେ ଅନେକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହାସହିତ ସାମାଜିକ, ସାଂସ୍କୃତିକ ସହିତ ଓଡିଆ ଅସ୍ମିତାକୁ ମଧ୍ୟ ପ୍ରତିଫଳିତ ହେବ । ଓଡିଶାର ହସ୍ତଶିଳ୍ପ, ନୃତ୍ୟ ଏବଂ ସଙ୍ଗୀତ ଓଡିଶାର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିବ । ବାହାରେ ରହୁଥିବା ପ୍ରବାସୀଙ୍କୁ ଏକତ୍ରିତ କରିବାର ମଞ୍ଚ ହେଉଛି ଓଡିଶା ପର୍ବ ।