ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓଡିଶା ପୋଲିସ ଆରମ୍ଭ କରିଛି ପ୍ରସ୍ତୁତି ପର୍ବ । ଆସନ୍ତାକାଲିର ମତଦାନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ମୋଟ ୨୪୦ ପ୍ଲାଟୁନ ପୋଲିସ ଫୋର୍ସ । ଶାନ୍ତି ଶୃଙ୍ଖଳାରେ ମତଦାନ ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିସହ ୧୬୨୫ ପେଟ୍ରୋଲିଂ ପାର୍ଟିକୁ ମଧ୍ୟ ସଜାଗ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲି ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ସେଥିପାଇଁ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ପଦକ୍ଷେପ ନିଆଯାଇଛି । କାଲିର ମତଦାନ ସମୟରେ ୨୪୦ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୬୨୫ ମୋବାଇଲ ପେଟ୍ରୋଲିଂ ପାର୍ଟିଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସ୍ଥାନରେ ବିଶୃଙ୍ଖଳା ନହେବା ପାଇଁ ଓଡିଶା ପୋଲିସ ସଜାଗ ହୋଇଛି । ଶାନ୍ତି ଶୃଙ୍ଖଳାରେ ଯେପରି ମତଦାନ ଶେଷ ହେବ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ ବିଭାଗ । ସେପଟେ ଭୋଟ ସମୟରେ ଗଣ୍ଡଗୋଳ କରି ଯାଜପୁରରୁ ୨୮ ଜଣ ଗିରଫ ହେବା ପରେ ଏହା ପୋଲିସ ବିଭାଗ ପ୍ରତି ଏକ ଚାଲେଞ୍ଜ ପାଲଟିଛି । ସେହିପରି ଢେଙ୍କାନାଳରୁ ୬, ପୁରୀରୁ ୨୩ ଏବଂ ଜଗତସିଂହପୁରରୁ ମଧ୍ୟ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏପରି ଅସୁବିଧାରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।