ଭୁବନେଶ୍ବର: ଏଣିକି ସ୍କୁଲରେ ଓଡିଆ ଭାଷା ପାଇଁ ସ୍ବତନ୍ତ୍ର ଓଡିଆ ଶିକ୍ଷକ ନିଯୁକ୍ତ ହେବ । ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ୨୦୨୩ ମସିହାରେ ଟିଜିଟି(ଓଡ଼ିଆ) ପାଇଁ ଓଡିଶାରେ ସୃଷ୍ଟି ହୋଇଥିବା ମୋଟ ୧,୯୮୪ ଟିଜିଟି (କଳା) ପଦବୀର ୪୯୬ ଟି ପଦବୀ ଏହି ସୁବିଧା ପାଇବେ ବୋଲି ବିଭାଗ କହିଛି । ଏମାନେ ସ୍ବତନ୍ତ୍ର ଭାବେ ଓଡିଆ ପଢାଇବେ । ଟିଜିଟି(ଓଡ଼ିଆ) ପଦବୀଗୁଡ଼ିକ ଟିଜିଟି(କଳା) ବର୍ଗ ଅଧୀନରେ ଏକ ଉପ-ବର୍ଗ ହେବ ବୋଲି ବିଭାଗ କହିଛି।
ଉଲ୍ଲେଖଯୋଗ୍ୟ, ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ରାଜ୍ୟର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ମୋଟ ୬,୦୨୫ ଶିକ୍ଷକ ନିଯୁକ୍ତି କରିବାକୁ ଘୋଷଣା କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୧,୯୮୪ ଟିଜିଟି (କଳା), ୧,୦୨୦ ଟିଜିଟି ସାଇନ୍ସ (ପିସିଏମ), ୮୮୦ ଟିଜିଟି ସାଇନ୍ସ (ସିବିଜେଡ), ୭୧୧ ହିନ୍ଦୀ ଶିକ୍ଷକ, ୭୨୯ ଶାସ୍ତ୍ରୀୟ ସଂସ୍କୃତ ଶିକ୍ଷକ, ୬ ତେଲୁଗୁ ଶିକ୍ଷକ, ୧୪ ଉର୍ଦ୍ଦୁ ଶିକ୍ଷକ ଏବଂ ୬୮୧ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମହିଳାମାନଙ୍କ ପାଇଁ ୧,୯୮୮ ପଦବୀ ସଂରକ୍ଷିତ କରାଯାଇଛି । ରାଜ୍ୟ ସରକାର ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଉଥିବା ବେଳେ ବର୍ତ୍ତମାନ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।