fbpx

କଟକ ରୌପ୍ୟ ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍‌

Advertisement

କଟକ: ସବୁ ପ୍ରତୀକ୍ଷାର ଅନ୍ତରେ କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ । ପ୍ରାଚୀନ କଟକ ସହରର ଅନ୍ୟତମ ଐତିହ୍ୟ ଭାବେ ପରିଗଣିତ ରୁପା ତାରକସିକୁ ଶନିବାର ଜିଆଇ ଟ୍ୟାଗ୍‌ ମିଳିଛି। ଏନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା ପାଇଥିବା ସମଗ୍ରୀ ତାଲିକା ତାଲିକା ୨୬କୁ ବୃଦ୍ଧି ପାଇଛି ।

କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ଶିଳ୍ପ ଉପରେ ଶହ ଶହ ପରିବାର ନିର୍ଭରଶୀଳ। ୨୦୨୧ ମସିହା ଜୁଲାଇ ୭ତାରିଖରେ ଓଡିଶା ହସ୍ତକଳା ସମବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ ହୋଇଥିଲା। ଆବେଦନକୁ ବିଚାରକୁ ନେଇ କଟକ ତାରକସିର ଇତିହାସ ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ କନସଲଟାନ୍ସି ଫାର୍ମକୁ ଏହି ଦାୟିତ୍ଵ ଦିଆଯାଇଥିଲା । ଫାର୍ମର ସୁପାରିଶ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ୍ ଉତ୍ପାଦର ନୋଡାଲ୍ ଅଫିସର୍ ପି.ସଞ୍ଜୟ ଗାନ୍ଧୀ କଟକ ରୁପା ତାରକସି ସମ୍ପର୍କରେ ୧୧୧ ପୃଷ୍ଟାର ରିପୋର୍ଟ ଜିଆଇ ରେଜିଷ୍ଟାରଙ୍କ ନିକଟରେ ଦାଖଲ କରିଥିଲେ । ଯେଉଁଥିରେ କଟକ ତାରକସିର ଐତିହ୍ୟ ଓ କାରିଗରୀ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଥିଲା । ଯାହାର ତର୍ଜମା କରି ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଆଇ ମାନ୍ୟତା ଦିଆଯାଇଛି।

କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପରେ ଆହୁରି ଚମକିବ ତାରକସି ସାମଗ୍ରୀ । ବିଶ୍ବ ବଜାରରେ ବଢିବ ଏହାର ଚାହିଦା । ଏଣିକି ବିଶ୍ବ ବଜାରରେ ମିଳିବ କଟକର ନିଖୁଣ କାରିଗରୀ । ଉପକୃତ ହେବେ କାରୀଗର ଓ ବଢିବ ରୋଜଗାର । ଏହି ଅନନ୍ୟ ଶିଳ୍ପକୁ ଦୀର୍ଘ ବର୍ଷ ଧରି ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା।

ଦି ଓଡ଼ିଶା ଷ୍ଟେଟ୍‌ କୋଅପେରେଟିଭ ହ୍ୟାଣ୍ଡିକ୍ରାଫ୍ଟସ୍‌ କର୍ପୋରେଶନ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ରୁପା ତାରକସିକୁ ଜିଆଇ ଟ୍ୟାଗ୍‌ ପ୍ରଦାନ ନିମନ୍ତେ ୨୦୨୧ରେ ଆବେଦନ କରିଥିଲା। ଆବେଦନରେ ଦର୍ଶାଯାଇଥିଲା ଯେ, ରୁପାର ତାରକସିର କାରୁକାର୍ଯ୍ୟ ତ୍ରୟୋଦଶ ଶତାବ୍ଦୀରୁ କଟକ ସହରରେ ଆରମ୍ଭ ହୋଇଛି। ଏହି କାରୁକାର୍ଯ୍ୟ ଜରିଆରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପିନ୍ଧୁଥିବା ଗହଣା ସମେତ ବିଭିନ୍ନ ଅଳଙ୍କାର, ସାଜସଜ୍ଜା ନିମନ୍ତେ ବ୍ୟବହାର କରାଯାଉଥିବା କାରୁଖଚିତ ସାମଗ୍ରୀ, ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ମନ୍ଦିରର ପ୍ରତିକୃତି, ଦୁର୍ଗାପୂଜା ସମୟରେ ଦେବୀଙ୍କୁ ଲାଗି କରାଯାଉଥିବା ଅଳଙ୍କାର ଓ ମେଢ଼ରେ ଚାନ୍ଦିର ସାଜସଜ୍ଜା ଏକ ଅନନ୍ୟ ଆକର୍ଷଣ ତଥା ପରମ୍ପରା ପାଲଟିଛି। ତେବେ କଟକ ତାରକସିକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସହରବାସୀଙ୍କ ସମେତ ଗହଣା କାରିଗରମାନଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦିପନା ସୃଷ୍ଟି ହୋଇଛି।

Get real time updates directly on you device, subscribe now.