ବାତ୍ୟା ‘ୟଶ୍’ରେ ଥରହର ହେବ ଓଡ଼ିଶା!

RSMC ପକ୍ଷରୁ ଦିଆଗଲା ବିିସ୍ତୃତ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପତ୍ତି ପରେ ବିପତ୍ତି ମାଡ଼ି ଆସୁଛି । ଗୋଟିଏପଟେ ମହାମାରୀ କରୋନାରେ କଲବଲ ହେଉଛି ଦେଶ । ସେ ଭିତରେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ନୟାନ୍ତ ହୋଇଗଲାଣି । ଠିକ୍ ଏହି ସମୟରେ ବ୍ଲାକ୍ ଫଙ୍ଗସ୍ ଭଳି ନୂଆ ଏକ ମହାମାରୀ ଚିନ୍ତା ବଢ଼ାଇଛି । ତେବେ ଏଭଳି ସନ୍ଧିକ୍ଷଣରେ ଅତି ଭୀଷଣ ରୂପରେ ବାତ୍ୟା ୟଶ୍ ମାଡ଼ି ଆସୁଛି । ଏଥିରେ ସାରା ରାଇଜ ପ୍ରଭାବିତ ହେବ ବୋଲି କୁହାଯାଉଛି । ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ୟଶ୍ ନାକେଦମ୍ କରିବ ବୋଲି ଆକଳନ କରାଯାଇଛି ।

Cyclone Yaas impact layout #OdishaBhaskar

ଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା (RSMC) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟା ପ୍ରଭାବରୁ ବର୍ଷା ହେବ । ବିଶେଷକରି ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ରହିବ । ୨୪ ତାରିଖରୁ ବାତ୍ୟା ୟଶ୍ ରାଜ୍ୟକୁ ପ୍ରଭାବିତ କରିବାକୁ ଯାଉଥିବାବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକରେ ୨୫ ତାରିଖରେ ଅତି ଭୀଷଣ ବର୍ଷା ହେବ ବୋଲି ସତର୍କ କରାଯାଇଛି । ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜରେ ମଧ୍ୟ ଖୁବ୍ ବର୍ଷା ହେବ ।

Cyclone Yaas time to time route #OdishaBhaskar

ସେହିପରି ୨୬ ତାରିଖରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝରଗଡ଼ରେ ଅତି ଭୀଷଣ ବର୍ଷାର ଆଶଙ୍କାର ରହିଛି । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ରେ ମଧ ୨୬ ତାରିଖ ଖୁବ୍ ବର୍ଷିପାରେ । ଅନୁରୂପ ଭାବେ ୨୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ପ୍ରଭାବ ରହିବ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶା ଭଳି ପଶ୍ଚିମବଙ୍ଗ, ସିକ୍କିମ୍, ଝାଡ଼ଖଣ୍ଡ, ବିହାର, ଆସାମ ଓ ମେଘାଳୟ ପାଇଁ ମଧ୍ୟ ବାତ୍ୟା ୟଶ୍ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ।