ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ପଦକ୍ଷେପ ନେଲା ଓମଫେଡ୍, ଉପକୃତ ହେବେ ଲକ୍ଷାଧିକ ଚାଷୀ
ଗାଈ ଉପଯୁକ୍ତ ଦାନା ସହ ସବୁଜ ଚାରା ଖାଇଲେ ଦୁଗ୍ଧ ଉତ୍ପାଦନ ବଢ଼ିବ। ଏଥିପାଇଁ ଘାସ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ଓମଫେଡ୍ ନିଷ୍ପତ୍ତି ନେଇଛି।
ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଗାଈ ଉପଯୁକ୍ତ ଦାନା ସହ ସବୁଜ ଚାରା ଖାଇଲେ ଦୁଗ୍ଧ ଉତ୍ପାଦନ ବଢ଼ିବ। ଏଥିପାଇଁ ଘାସ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ଓମଫେଡ୍ ନିଷ୍ପତ୍ତି ନେଇଛି। ସୋମବାର କଟକ ମିଲ୍କ ୟୁନିୟନ ମୁଖ୍ୟ କାର୍ଯ୍ୟାଳୟଠାରେ ସମସ୍ତ ୟୁନିଟ୍ ମୁଖ୍ୟ ଓ ସୁପରଭାଇଜରଙ୍କୁ ନେଇ ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କରିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏହାବାଦ କ୍ଷୀରଧାରା କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ଓମ୍ଫେଡ୍ ପକ୍ଷ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ପଞ୍ଚାୟତରେ କ୍ଷୀରଧାର କେନ୍ଦ୍ର ସୃଷ୍ଟି କରାଗଲେ, ଦୁଗ୍ଧ ସଂଗ୍ରହ ଓ ବିକ୍ରି ବୃଦ୍ଧି ପାଇବ ବୋଲି କୁଲାଙ୍ଗେ କହିଛନ୍ତି। ତୃଣମୂଳ ସ୍ତରରେ ଚାଷୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଯାଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଓମ୍ଫେଡ୍ର ଉତ୍ପାଦର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେହି ଅନୁସାରେ ଦୁଗ୍ଧ ଉତ୍ପାଦନ ଓ ସଂଗ୍ରହ ଉପରେ ମଧ୍ୟ ଓମଫେଡ୍ ଗୁରୁତ୍ବାରୋପ କରୁଛି। ଫଳରେ ରାଜ୍ୟର ଆର୍ଥିକ ବିକାଶ ଘଟିବା ସହ ଶିକ୍ଷିତ ବେକାରମାନେ ଆତ୍ମ ନିଯୁକ୍ତି ପାଇପାରିବେ ବୋଲି କୁଲାଙ୍ଗେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓମ୍ଫେଡର ବୈଷୟିକ ପରାମର୍ଶଦାତା ତଥା କଟକ ମିଲ୍କ ୟୁନିୟନର ସାଧାରଣ ପରିଚାଳକ ଡକ୍ଟର ଦିଗମ୍ବର ନାୟକ ଉପସ୍ଥିତ ଥିଲେ।