ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୩ ତାରିଖ ବା ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ କାର୍ଯ୍ୟ ଥିବାରୁ ଏହି ଦିନରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ବନ୍ଦ ରହିବ । ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ଜରିଆରେ ଜଣାଇ ଦିଆଯିବ । ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଏନେଇ ସୂଚନା ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜିକରଣ କରିଥିଲେ, କେବଳ ସେମାନଙ୍କ ପାଇଁ ଉକ୍ତ ଶୁଣାଣି ଉଦ୍ଦିଷ୍ଟ ଥିଲା । ୨୮ ତାରିଖ ପାଇଁ ପୂର୍ବରୁ ପଞ୍ଜିକରଣ କରିଥିବା ଆବେଦନକାରୀମାନେ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ, ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ କୁହାଯାଇଥିଲା । ତା’ ପୂର୍ବରୁ ନଭେମ୍ବର ୧୮ ଓ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତା’ ପୂର୍ବରୁ ନଭେମ୍ବର ୪ ଓ ୧୧ରେ ମଧ୍ୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ବାତ୍ୟା ‘ଦାନା’ କାରଣରୁ ଅକ୍ଟୋବର ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା ।