fbpx

ମେଲୋନୀଙ୍କ ସହ ଏହି ପ୍ରସଙ୍ଗରେ ମୋଦୀଙ୍କର ହେବ ଆଲୋଚନା, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବି ହେବ ସାକ୍ଷାତ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ଆପୁଲିଆ ସହର ପହଞ୍ଚି ଯାଇଛନ୍ତି । ଏହି ସମୟରେ ମୋଦୀଙ୍କର ବହୁ ନେତାଙ୍କ ସହ ଦ୍ୱିପାକ୍ଷୀୟ ବୈଠକ ହେବାର ଅଛି । ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ନିମନ୍ତ୍ରଣରେ ଶୁକ୍ରବାର ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ଜି ୭ ବୈଠକ ଲାଗି ବୋର୍ଗୋ ଏଗ୍ନାଜିଆ ଯାତ୍ରା କରିବା ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କିଙ୍କ ସହ ଦ୍ୱିପାକ୍ଷୀୟ ବୈଠକ କରିବେ । ଆଉଟ୍‌ରିଚ୍ ଅଧିବେଶନ ପରେ ଏହି ବୈଠକ ମୁଖ୍ୟରୂପରେ ଏଆଇ, ଶକ୍ତି, ଆଫ୍ରିକା ଓ ଭୂମଧ୍ୟ ସାଗର ଉପରେ କେନ୍ଦ୍ରିତ ହେବ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କୌଣସି ଦ୍ୱିପାକ୍ଷୀୟ ବୈଠକ ନିର୍ଦ୍ଧାରିତ ହୋଇନାହିଁ ।

ଭାରତ ଓ ଇଟାଲୀର ସଂପର୍କ ବହୁତ ଭଲ ରହିଛି । ୨୦୨୩ରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ବନ୍ଧର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଇଥିଲା । ଭାରତର ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ସୌର ସହଭାଗିତା ସହିତ ଅନ୍ୟାନ୍ୟ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନାରେ ଇଟାଲୀ ବଡ ଅଂଶୀଦାର ଅଟେ । ଏବେ ଦୁଇ ଦେଶ ମଧ୍ୟରେ ବାଣଜ୍ୟିକ ସଂପର୍କ ବି ବେଶ୍ ସୁରୁଖୁରୁରେ ଆଗେଇ ଚାଲିଛି । ୨୦୨୨-୨୩ରେ ଦୁଇ ଦେଶ ମଧ୍ୟରେ ୧୫ ଅରବ ଡଲାର ବାଣିଜ୍ୟ କାରବାର ହୋଇଥିଲା । ଏବେ ୟୁରୋପ ମହାଦେଶରେ ଇଟାଲୀ ହେଉଛି ଭାରତର ସବୁଠାରୁ ବଡ ଟ୍ରେଡ୍ ପାର୍ଟନର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଫଳରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ଆହୁରି ମଜଭୁତ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଅନ୍ତଃରାଷ୍ଟ୍ରୀୟ ସହଭାଗିତା ଆହୁରି ସୁଦୃଢ ହେବ ।

Get real time updates directly on you device, subscribe now.