ଡିଜେ ଗାଡ଼ି ସାଜିଲା କାଳ, ବରଯାତ୍ରୀଙ୍କ ଉପରେ ଗଛ ପଡ଼ି ଜଣେ ମୃତ, ୪ ଆହତ

ହସ ଖୁସିର ମାହୋଲରେ ଖେଳିଗଲା ଦୁଃଖର ଛାୟା।

ତେଲକୋଇ: ହସ ଖୁସିରେ ବରଯାତ୍ରୀ ବାହାରିଲେ। ଡିଜେ ସାଙ୍ଗକୁ ବ୍ୟାଣ୍ଡ ବାଜା, ନାଚ ଗୀତର ଆସର ମଧ୍ୟ ଜମିଥିଲା। ହେଲେ କିଏ ଜାଣିଥିଲା ଯେଉଁ ଡିଜେର ତାଳେ ତାଳେ ବର ବାହାରିଥିଲା ସେହି ଡିଜେ ଗାଡ଼ି ହିଁ ବରଯାତ୍ରୀଙ୍କ ପାଇଁ କାଳ ସାଜିବ।

ଘଟଣାଟି ବୁଝା ପଡୁନି ନା, ତେବେ ଘଟଣାଟି ହେଉଛି ତେଲକୋଇ ଅଞ୍ଚଳର। ଘରୁ ବରଯାତ୍ରୀ ଖୁସିରେ ବର ସାଙ୍ଗରେ ବାହାରିଥିଲେ। ଡିଜେ ଗାଡ଼ି ବି ସାଙ୍ଗରେ ଯାଉଥିଲା। ହେଲେ କରଦାଙ୍ଗ ଗାଁ ପାଖରେ ଡିଜେ ଗାଡ଼ି ଏକ ଗଛରେ ଲାଗିଥିଲା।

ତେଣୁ ଗାଡ଼ିକୁ ଆଗକୁ ନେବା ପାଇଁ ଗଛର ଡ଼ାଳ କାଟିବାକୁ ବାହାରିଥିଲେ ବରଯାତ୍ରୀ। ହେଲେ ଗଛର ଡ଼ାଳ କାଟିବା ସମୟରେ ପୂରା ଗଛଟି ବରଯାତ୍ରୀଙ୍କ ଉପରେ ପଡ଼ିଥିଲା। ଫଳରେ ଶୁଭ କାର୍ଯ୍ୟରେ ଏକ ବଡ଼ ଅଶୁଭ ଘଟଣା ଘଟିଗଲା।

ଗଛ ପଡ଼ିବା ଯୋଗୁଁ ଜଣେ ବରଯାତ୍ରୀଙ୍କର ମୃତ୍ୟୁ ହେଲା।  ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ବରଯାତ୍ରୀ ଯାଉଥିବା କତରାପଲିର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।