fbpx

ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା : ୧୮ରୁ ଢ଼ାଳିବ ବର୍ଷା, ୩ ଦିନ ଧରି ଓଡ଼ିଶାକୁ ଭିଜାଇବ

ଭୁବନେଶ୍ବର (ଭାସ୍କର ନ୍ୟୁଜ୍‌): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଚଳିତ ମାସ ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଲଘୁଚାପରେ ପରିଣତ ହେବା ପରେ ଏହାର ପ୍ରଭାବରେ ଶୁକ୍ରବାରଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ତିନି ଦିନ ଅଧା ଓଡ଼ିଶାକୁ ଭିଜାଇବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଚଳିତ ମାସ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ । ସେହିପରି ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା । ୨୦ ତାରିଖରେ ଉତ୍ତର- ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାରେ ଅଧିକ ବର୍ଷା ହେବ । ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏନେଇ ଆଇଏମ୍‌ଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୧୯ ଓ ୨୦ ତାରିଖରେ ରାଜ୍ୟରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଛତିଶଗଡ଼ରେ ମଧ୍ୟ ଆସନ୍ତା ୩ ଦିନ ବର୍ଷା ହେବାର ସମ୍ଭାବନା ନାହିଁ । କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ପୂର୍ବ ବର୍ଷା ଅର୍ଥାତ ୧୧ ତାରିଖରୁ ହୋଇଥିବା ଲଘୁଚାପ ବର୍ଷା ତୁଳନାରେ ଏଥର କମ୍‌ ବର୍ଷା ହେବ ବୋଲି ଆଇମ୍‌ଡି ଡିଜି ଶ୍ରୀ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।

ସେହିଭଳି ଆସନ୍ତା ୩ଦିନ ମଧ୍ୟରେ ଛତିଶଗଡରେ ମଧ୍ୟ ବଡ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ସମେତ ଅନ୍ୟ କେତେକ ଜିଲ୍ଲାରେ ଏହି ବର୍ଷାର ପ୍ରଭାବ ରହିବ । ଅନ୍ୟ ପକ୍ଷରେ ରାଜ୍ୟର ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଉଥିବାବେଳେ ବନ୍ୟା ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରାପଡା, କଟକ, ପୁରୀ ଓ ଭଦ୍ରକରେ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି । ପ୍ରତି ଟିମ୍‌ରେ ୨୫ଜଣ ଲେଖାଁଏ କର୍ମଚାରୀ ରହିଛନ୍ତି । ଏତଦ୍‌ବ୍ୟତୀତ ବାଲେଶ୍ୱରରେ ମଧ୍ୟ ଏନ୍‌ଡିଆରଏଫ୍‌ର ରାପିଡ୍‌ ରେସ୍‌ପନ୍ସ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତ।

Get real time updates directly on you device, subscribe now.