fbpx

ମୂର୍ତ୍ତି ଉଚ୍ଚତା ବିବାଦ: ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ

କଟକ,(ଭାସ୍କର ନ୍ୟୁଜ୍‌): ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ । ସରକାରଙ୍କ ୪ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ ନିର୍ଦ୍ଦେଶ ପ୍ରତିବାଦରେ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗୁରୁବାର ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଛି । ତେବେ ଶୁକ୍ରବାର ରାୟ ପ୍ରକାଶ କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଗତ କରାଯାଇଛି । ବିଜେଡିର ପୂର୍ବତନ ବିଧାୟକ ତଥା କଟକ ନଗର ପୂଜା କମିଟି ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଥିଲା । ମୂର୍ତ୍ତିର ଉଚ୍ଚତା ବୃଦ୍ଧି ସହ ପରଦା ନ ଢାଙ୍କିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ତ୍ରିପାଠୀ ନିବେଦନ କରିଥିବା ସୂଚନା ମିଳିଛି । ତେବେ ପୂଜା କମିଟି କିମ୍ବା ଶାନ୍ତି କମିଟି ଅଥବା ସାଂସଦଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ କି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସାଂସଦ ଶ୍ରୀ ମହତାବ କହିଥିଲେ, ଆଲୋଚନା କରିବା ନକରିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସଂକ୍ରମଣକୁ ଆଖିଆଗରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଦୁର୍ଗାପୂଜାକୁ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ମୂର୍ତ୍ତିର ଉଚ୍ଚତା ୪ଫୁଟ୍‌ ଭିତରେ ସୀମିତ ରଖିବା ସହ ମଣ୍ଡପର ଚାରିାଖରେ କପଡା ଢାଙ୍କିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଗଣମାଧ୍ୟମରେ ମନ୍ତବ୍ୟ ରଖିବା ପରେ ଏହାକୁ ନେଇ ବିବାଦ ଜୋର ଧରିଥିଲା । ପୂର୍ବରୁ ସରକାରଙ୍କ ସହ ପୂଜା କମିଟି ଓ ଶାନ୍ତି କମିଟି ପକ୍ଷରୁ ଆଲୋଚନା କରାଯାଇଥିବାବେଳେ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିବାରୁ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । କଟକର ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସାମାଜିକ ସଙ୍ଗଠନର ସଦସ୍ୟମାନେ ରାଜରାସ୍ତାରେ ଆଣ୍ଠେଇ ମାନବଶୃଙ୍ଖଳ କରିଥିଲେ । ଏପରିକି କଟକ ବିଧାୟକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ପୁରୀ ଘାଟ ଥାନା ନିକଟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ମଉନବ୍ରତ ପାଳନ କରିଥିଲେ । ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ଆଡମ୍ବରରେ ପୂଜା କରାଯିବା ଜରୁରି କି? ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ସେମାନେ କହିଛନ୍ତି ମୂର୍ତ୍ତିର ଉଚ୍ଚତା ବଢ଼ିଲେ ଏହା ରାସ୍ତାକୁ ଦେଖାଯିବ ଓ ଲୋକଙ୍କ ଗହଳି ଲାଗି ରହିବ । ଫଳରେ କରୋନା କଟକଣା କେହି ମାନିବେ ନାହିଁ ଓ ସାମାଜିକ ଦୂରତା ମଧ୍ୟ ରହିବାର ସମ୍ଭାବନା ନାହିଁ । ଏସବୁ ଭିତରେ ଶୁକ୍ରବାର ହାଇକୋର୍ଟଙ୍କ ରାୟକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କି ନିଷ୍ପତ୍ତି ଗ୍ରହଣ କରୁଛନ୍ତି ତା’ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି ।

Get real time updates directly on you device, subscribe now.