fbpx

ମହଙ୍ଗା ପିଆଜ ଉଡାଇଲା ସରକାରଙ୍କ ନିଦ, ଏହି ସହରରେ ଆରମ୍ଭ ହେଲା କିଲୋ ପିଛା ୩୫ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ: ଟମାଟୋ ପରେ ପିଆଜ ମୂଲ୍ୟ ଆକାଶ ଛୁଇଁଛି। ଏହି ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର କମ ମୂଲ୍ୟରେ ବିକ୍ରି ଆରମ୍ଭ କରିଛନ୍ତି। ରିହାତି ମୂଲ୍ୟରେ ପିଆଜ ବିକ୍ରି ଗୁରୁବାର ଦିନ ଆରମ୍ଭ ହୋଇଛି। ତେବେ ଏହି ରିହାତି ଅନୁଯାୟୀ, ଲୋକଙ୍କୁ ପିଆଜ କିଲୋଗ୍ରାମ ପିଛା ୩୫ ଟଙ୍କାରେ ମିଳୁଛି।

କେନ୍ଦ୍ରୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଜନସାଧାରଣଙ୍କ ରୋଷେଇ ବଜେଟକୁ କମ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଖାଦ୍ୟ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଏନସିଆର ଏବଂ ମୁମ୍ବାଇର ଲୋକଙ୍କୁ ଶସ୍ତା ମୂଲ୍ୟରେ ପିଆଜ ଉପଲବ୍ଧ କରାଯାଉଛି। ଗ୍ରାହକ ବ୍ୟାପାର ସଚିବ ନିଧି ଖରେ କହିଛନ୍ତି ଯେ, ଦିଲ୍ଲୀ-ଏନସିଆଇରରେ କୃଷି ଭବନ, ଭାରତୀୟ ଜାତୀୟ ସହକାରୀ ସଂଘ ପରିସର, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ପଟେଲ ଚୌକ ମେଟ୍ରୋ ଷ୍ଟେସନ ଏବଂ ନୋଏଡାର କିଛି ଅଂଶ ସମେତ ସମୁଦାୟ ୩୮ଟି ସ୍ଥାନରେ ବିକ୍ରି କରାଯିବ। ମୁମ୍ବାଇରେ ପରେଲ ଏବଂ ଲୋୟର ମଲାଡ ଭଳି ଅଞ୍ଚଳରେ ଲୋକେ ଶସ୍ତାରେ ପିଆଜ କିଣିପାରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟମାନଙ୍କ ରାଜଧାନୀରେ ଏହାର ଆରମ୍ଭ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ଆଗାମୀ ସପ୍ତାହରେ ଆରମ୍ଭ ହେବ, ଯେଉଁଥିରେ; କୋଲକାତା, ଗୁଆହାଟି, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ରାୟପୁର ଭଳି ସହରରେ କଭର କରାଯିବ।

Get real time updates directly on you device, subscribe now.