fbpx

ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ଶିକ୍ଷା, ବିନା ମୂଲ୍ୟରେ ପିଲା ପଢିବେ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ(ଟିସିଆଇଟି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି । ଏହି ଏମ୍ଓୟୁ ଅନୁସାରେ କଲେଜ ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷାକୁ ସୁଦୃଢ଼ କରାଯିବ । ସେମାନଙ୍କୁ ଡିଜିଟାଲି ଦକ୍ଷ କରାଯିବ । ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ପିଲାଙ୍କୁ ଡିଜିଟାଲି ଦକ୍ଷ କରିବା ଲକ୍ଷ୍ୟ ନେଇ ବୁଧବାର ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଟାଟା କମ୍ୟୁନିଟି ଇନିସିଏଟିଭ୍ ଟ୍ରଷ୍ଟ(ଟିସିଆଇଟି)ର ସିଇଓ ଅନିତା ରାଜନ ପ୍ରମୁଖ ଉପସ୍ଥିତ ରହି ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ।

ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଡିଜିଟାଲ୍ ପାଠ୍ୟକ୍ରମ ଦିଆଯିବାର ବ୍ୟବସ୍ଥା କରାଯିବ । ଟିସିଆଇଟିର ଟାଟା ଷ୍ଟ୍ରାଇଭ୍ ଡିଜିଟାଲ୍ ସ୍କିଲ୍ ଟ୍ରେନିଂ ପ୍ରୋଗ୍ରାମରେ ବିଭିନ୍ନ କଲେଜ ପାଇଁ ଭିନ୍ନ ଭିନ୍ନ ଡିଜିଟାଲ୍ କୋର୍ସ ରହିଛି । ଇଞ୍ଜିନିୟରିଂ ଓ ପ୍ରଫେସନାଲ୍ ପାଠ୍ୟକ୍ରମ ପଢ଼ାଯାଉଥିବା କଲେଜରେ ପିଲାଙ୍କୁ ଡିଜିଟାଲ୍ ଓ ଆଇଟି କ୍ଷେତ୍ରରେ ସୁଦୃଢ଼ କରିବାକୁ ପାଠ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ବିଜ୍ଞାନ ଓ ଗଣିତରେ ସ୍ନାତକ ପାଠ୍ୟକ୍ରମ ଦିଆଯାଉଥିବା କଲେଜର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ସଚେତନତାମୂଳକ ପାଠ୍ୟକ୍ରମ ଦିଆଯିବ । ବିଶେଷ କରି ଯୁକ୍ତତିନି ଦ୍ୱିତୀୟ ଓ ତୃତୀୟ ବର୍ଷର ପିଲାଙ୍କ ପାଇଁ ଏହି ପାଠ୍ୟକ୍ରମ ରହିଛି । ସେମାନଙ୍କୁ ପାଠ୍ୟକ୍ରମ ସହ ଭବିଷ୍ୟତରେ କ’ଣ କରିବେ ସେଥିପ୍ରତି ମଧ୍ୟ ମାର୍ଗଦର୍ଶନ ମିଳିବ ।

ଏହାଦ୍ୱାରା ରାଜ୍ୟର ବିଭିନ୍ନ କଲେଜରେ ପାଖାପାଖି ୫ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଅନ୍ୟପକ୍ଷରେ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ପାଠ୍ୟକ୍ରମ ସାରିଲେ, ଛାତ୍ରଛାତ୍ରୀଙ୍କୁ ଟାଟା ଷ୍ଟ୍ରାଇଭ୍ ପକ୍ଷରୁ ନିଯୁକ୍ତି ଲାଗି ପ୍ରଶିକ୍ଷଣ ମିଳିବ । ଏସମ୍ପର୍କରେ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଛନ୍ତି, ବର୍ତ୍ତମାନ ସମୟ ହେଉଛି ଡିଜିଟାଲର ଯୁଗ । ଏହି ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ବୈଷୟିକ କ୍ଷେତ୍ରରେ ନିଜର ଜ୍ଞାନ ବୃଦ୍ଧି କରିବା ସହ ଡିଜିଟାଲି ଦକ୍ଷ ହେବା ଦରକାର । ଏହି ଏମ୍ଓୟୁ ମାଧ୍ୟମରେ କଲେଜ ପଢୁଥିବା ଛାତ୍ରଛାତ୍ରୀ ବିନା ମୂଲ୍ୟରେ ଡିଜିଟାଲ ବିଷୟରେ ଅଧିକ ଜାଣିପାରିବେ । ଏହାଦ୍ୱାରା ଆଗାମୀ ଦିନରେ ସେମାନଙ୍କ ପାଇଁ ନିଯୁକ୍ତିର ମାର୍ଗ ପ୍ରଶସ୍ତ ହୋଇପାରିବ । ଟିସିଆଇଟିର ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ଦାସନାୟକ କହିଛନ୍ତି ।

Get real time updates directly on you device, subscribe now.