ଉତ୍ତରପ୍ରଦେଶ: ମୂଷାର ହେଲା ଅପରେସନ, ପେଟରୁ ବାହାରିଲା 240 ଗ୍ରାମର ଟ୍ୟୁମର। ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଏହା ସତ। ଉତ୍ତର ପ୍ରଦେଶର ଜୌନପୁରରେ, ଜଣେ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ଏକ ପୋଷା ମୂଷାର ପେଟରୁ ପ୍ରାୟ 240 ଗ୍ରାମ ଓଜନର ଏକ ଟ୍ୟୁମର ବାହାର କରିଛନ୍ତି।
ଏହି ଅପରେସନ ପ୍ରାୟ 50 ମିନିଟ୍ ଧରି ଚାଲିଥିଲା ଏବଂ ଡାକ୍ତରମାନେ ମନ୍ଦେହେ ଏଥିରେ ସଫଳ ହୋଇଥିଲେ। ଯାହାଫଳରେ ମୂଷାଟି ଏକ ନୂତନ ଜୀବନ ପାଇଛି।
ସହରର ହୁସେନାବାଦର ବାସିନ୍ଦା ଅଭୟ ଶ୍ରୀବାସ୍ତବଙ୍କର ଏକ ଦୁଇ ବର୍ଷର ଧଳା ପୋଷା ମୂଷା “ମିକି” ଥିଲା, ଯିଏ ଗତ ଚାରି ମାସ ଧରି ଅସୁସ୍ଥ ଥିଲା। ପେଟ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଠିକ୍ ଭାବରେ ଖାଇବା ପିଇବାରେ ସମସ୍ୟା ହେଉଥିଲା। ମୂକ ପ୍ରାଣୀର ଯନ୍ତ୍ରଣା ଦେଖି ଅଭୟଙ୍କ ସମଗ୍ର ପରିବାର ଚିନ୍ତିତ ହୋଇ ପଡ଼ିଥିଲେ।
ଅଭୟ ମୂଷାର ଚିକିତ୍ସା ପାଇଁ ବହୁତ ଡାକ୍ତରଖାନା ବୁଲିଥିଲେ ଏବଂ ବହୁତ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ, କିନ୍ତୁ କେହି ବି ରାଜି ହୋଇନଥିଲେ।
ଶେଷରେ ଅଭୟ ଶ୍ରୀବାସ୍ତବ ଗୋଟିଏ ଡାକ୍ତରଙ୍କ ସନ୍ଧାନରେ ଜିଲ୍ଲା ମୁଖ୍ୟାଳୟରୁ 40 କିଲୋମିଟର ଦୂର ଶାହଗଞ୍ଜ ଯାଇଥିଲେ। ପାଲିୱାଲ ପେଟ୍ସ କ୍ଲିନିକ୍ ର ବରିଷ୍ଠ ପ୍ରାଣୀ ଡାକ୍ତର ଆଲୋକ ପାଲିୱାଲ ସେଠାରେ ମୂଷାକୁ ଦେଖିଲେ ଏବଂ ଚିକିତ୍ସା କରିବାକୁ ରାଜି ହେଲେ।
ତା’ପରେ ମୂଷାର ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହେଲା ଅପରେସନ। ପ୍ରାୟ 50 ମିନିଟ୍ ଧରି ଅପରେସନ ହେବା ପରେ ଡାକ୍ତର ଏଥିରେ ସଫଳ ହୋଇଥିଲେ ଏବଂ ମୂଷାର ପେଟରୁ ପ୍ରାୟ 240 ଗ୍ରାମ ଓଜନର ଏକ ଟ୍ୟୁମର ବାହାର କରିଥିଲେ।
ମୂଷାର ପେଟରେ ଏତେ ବଡ଼ ଟ୍ୟୁମର ଦେଖି ଅଭୟ ଶ୍ରୀବାସ୍ତବ ଏବଂ କ୍ଲିନିକ୍ରେ ଉପସ୍ଥିତ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ମୂଷାଟି ସୁସ୍ଥ। ଏହି ଘଟଣାକୁ ନେଇ ଅଭୟଙ୍କୁ ଏବଂ ଡାକ୍ତରଙ୍କୁ ପ୍ରସଂସାର ସୁଅ ଛୁଟୁଛି।