ରାଷ୍ଟ୍ରପତି ନିର୍ବାଚନ: ଏହି ପ୍ରାର୍ଥୀଙ୍କ ନାଁରେ ମୋହର ଲଗାଇଲେ ବିରୋଧୀ

ନୁଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରାର୍ଥୀ କିଏ ହେବେ ସେ ଆଲୋଚନା ଉପରେ ଏକ ପ୍ରକାର ପୁର୍ଣ୍ଣଚ୍ଚେଦ ପଡ଼ିଛି। ମଙ୍ଗଳବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଘରେ ବସିଥିବା ବୈଠକରେ ଯଶବନ୍ତ ସିହ୍ନାଙ୍କ ନାମ ଉପରେ ପ୍ରାୟ ୧୯ ବିରୋଧୀ ଦଳଙ୍କ ମୋହର ଲାଗିଛି। ଏନେଇ ଦ୍ୱିପ୍ରହର ୨:୩୦ ସମୟରେ ଆନୁଷ୍ଠାନିକ ଭାବେ ଘୋଷଣା ହୋଇପାରେ।

ଯଶବନ୍ତ ସିହ୍ନାଙ୍କ ପୁର୍ବରୁ ବିଜେପିର ସଦସ୍ୟ ଥିଲେ ଏବଂ ସେ ଅଟଳ ବିହାରୀ ବାଚପେୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତେବେ ୨୦୧୮ରେ ସେ ବିଜେପି କ୍ୟାମ୍ପ ଛାଡ଼ିଦେଇଥିଲେ। ପରେ ୨୦୨୧ରେ ସେ ତୃଣମୁଳ କଂଗ୍ରେସରେ ସାମିଲ ହୋଇଥିଲେ। ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନ ପୁର୍ବରୁ ଯଶବନ୍ତ ସିହ୍ନାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲେ ମମତା।

ତେବେ ଯଶବନ୍ତ ସିହ୍ନାଙ୍କ ନାମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ମୋହର ଲାଗିଥିବା ଖବର ଆସିବା ପରେ ଯଶବନ୍ତ ସିହ୍ନା ତାଙ୍କର ପ୍ରତିକ୍ରିୟା ଏକ ଟ୍ୱିଟ୍ କରି ରଖିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଟିଏମସିରେ ମୋତେ ଦେଇଥିବା ସମ୍ମାନ ଏବଂ ସମ୍ମାନ ପାଇଁ ମୁଁ ମମତା ଜୀଙ୍କ ପାଖରେ କୃତଜ୍ଞ। ବର୍ତ୍ତମାନ ଏକ ସମୟ ଆସିଛି ଯେତେବେଳେ ଏକ ବୃହତ ଜାତୀୟ କାରଣ ପାଇଁ ମୁଁ ଦଳ ବାହାରେ ଅଧିକ ବିରୋଧୀ ଏକତା ପାଇଁ କାର୍ଯ କରିବା ଉଚିତ୍ ବୋଲି ସେ ଲେଖିଛନ୍ତି।

ଶରଦ ପାୱାରଙ୍କ ଘରେ ବେଠକ ହେବା ପୁର୍ବରୁ ନାମ ଗୋପନ ରଖିବା ସର୍ତ୍ତରେ ତୃଣମୁଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ଯେ ରାଷ୍ଟ୍ରପତି ନିର୍ବାଚନରେ ୟଶୱନ୍ତ ସିହ୍ନାଙ୍କ ନାମକୁ ବିରୋଧୀ ପ୍ରାର୍ଥୀ ଭାବରେ ପ୍ରସ୍ତାବ ଦେବା ପାଇଁ କେତେକ ଦଳରୁ ପ୍ରସ୍ତାବ ଆସିଥିବା ସୂଚାନ ଦେଇଥିଲେ। ପୁର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର, ନାସନାଲ କଂନଫରେନ୍ସର ଫାରୁକ୍ ଅବଦୁଲ୍ଲା ଏବଂ ପଶ୍ଚିମବଙ୍ଗର ପୁର୍ବତ୍ତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ଭଳି ନେତା ଏହି ପ୍ରସ୍ତାବକୁ ମନା କରିଦେଇଥିଲେ।