fbpx

ଯେତେ ଶୁଖିଲା ରଣନୀତି ପ୍ରସ୍ତୁତ କଲେ ମଧ୍ୟ ୨୦୨୪ ନିର୍ବାଚନରେ ମୋଦିଙ୍କୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ, ଜାଣନ୍ତୁ ଏହା ପଛରେ ରହିଥିବା ୫ଟି ମୁଖ୍ୟ କାରଣ

Advertisement

ନୂଆଦିଲ୍ଲୀ: ୨୦୨୦ ଲୋକସଭା ନିର୍ବାଚନକୁ ନେଇ ବର୍ତମାନଠାରୁ ବିଭିନ୍ନ ରାଜନୈତିକ ଦଳମାନେ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସମସ୍ତ ଦଳମାନେ ତୁହାକୁ ତୁହା ବୈଠକ ସାଙ୍ଗକୁ ସାଙ୍ଗଠନିକ କ୍ଷେତ୍ରରେ ବିପୁଳ ପରିବର୍ତନ କରିବାରେ ଲାଗିପଡ଼ିଛନ୍ତି । ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ଦୁଇଟି ଅବଧି ଜିତିସାରିଥିବା ବେଳେ ତୃତୀୟ ଥର ପାଇଁ ତାଙ୍କୁ ରୋକିବାକୁ ବିପକ୍ଷଦଳମାନେ ଅଂଟା ଭିଡ଼ି ଆଗକୁ ଆସିଛନ୍ତି । ମୋଦିଙ୍କୁ ଟକ୍କର ଦେବାକୁ ଅନେକ ନେତା ଆଗକୁ ଆସୁଥିଲେ ହେଁ, ବାସ୍ତବରେ ଦୁଇ ତିନୋଟି ଚେହେରା ସମସ୍ତଙ୍କର ନଜରରେ ରହିଛନ୍ତି । ରାହୁଲ ଗାନ୍ଧୀ, ଶରଦ ପାୱାର ଓ ମମତା ବାନାର୍ଜୀ ଏହି ତିନି ଜଣଙ୍କ ମଧ୍ୟରୁ ଯେ କେହି ହେଲେ ଜଣେ ମୋଦିଙ୍କ ବିରୋଧୀ ମହାମେଂଟର ନେତୃତ୍ୱ ନେବାର ସମ୍ଭାବନା ଅଧିକ ରହିଛି । ତେବେ ପରିସ୍ଥିତିକୁ ସମୀକ୍ଷା କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ୨୦୨୪ରେ ମୋଦିଙ୍କୁ ପରାଜିତ କରାଇବା ବିପକ୍ଷ ଗୋଷ୍ଠୀଙ୍କ ପାଇଁ ସ୍ୱପ୍ନ ପାଲଟିଯିବ । ଦେଶର ସର୍ବପୁରାତନ ଦଳ କଂଗ୍ରେସ ବର୍ତମାନ ନିଜର ସ୍ଥିତି ହରାଇଥିବାରୁ ବିଜେପି ପାଇଁ ଏହା ସୁବର୍ଣ୍ଣ ସମୟ ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିରୋଧୀଙ୍କ ମହାମେଂଟ ବିଫଳ ହେବାର ୫ଟି ମୁଖ୍ୟ କାରଣ ସାମନାକୁ ଆସୁଛି ।

୧- ମୁଖ୍ୟ କଥା ହେଉଛି, ବିରୋଧୀମାନେ ମୋଦିଙ୍କୁ ରୋକିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତକନ୍ଦଳ ରହିଛି । ଉଦାହରଣସ୍ୱରୂପ, କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି କେବେ ବି ଚାହିଁବେ ନାହିଁ ଯେ, ତାଙ୍କର ସୁପୁତ୍ର ରାହୁଲ ଥାଉଥାଉ ମମତା ତାଙ୍କ ସ୍ଥାନ ନିଅନ୍ତୁ । ନିର୍ବାଚନରେ କ୍ଷମତାକୁ ଆସିବା ନ ଆସିବା ଅଲଗା କଥା । ମାତ୍ର ଥରେ ସେକେଣ୍ଡ ଷ୍ଟାଣ୍ଡାର୍ଡ ଲିଡରର ଷ୍ଟାମ୍ପ ଲାଗିଗଲେ ଆଉ ଥରେ ନମ୍ବରୱାନ ହେବା ପାଇଁ ଦଶନ୍ଧିରୁ ଅଧିକ ସମୟ ଲାଗିଯିବ । ଏକଥା ସୋନିଆଙ୍କଠାରୁ ଅଧିକ ହୁଏତ ଆଉ କେହି ଜାଣିନଥିବେ । ଗାନ୍ଧୀ ପରିବାର ବାହାରୁ ଯେ କୌଣସି ଦଳର ନେତାଙ୍କୁ ମୁଖ୍ୟ ଚେହେରା ଭାବେ ଉପସ୍ଥାପିତ କରିବା ନେଇ ସୋନିଆଙ୍କ ଆନ୍ତରିକ ସମର୍ଥନ କେବେ ବି ରହିବ ନାହିଁ । ପୂର୍ବରୁ ସିନ୍ଧିଆ ଓ ପାଇଲଟଙ୍କ ପରି ଯୁବ ଦକ୍ଷତାସମ୍ପନ୍ନ ନେତୃତ୍ୱଙ୍କୁ ଦଳ ଆଗକୁ ଆସିବାକୁ ଦେଇନଥିଲା । କଂଗ୍ରେସ ଦଳ ଯେତେ ତଳକୁ ଯାଉଛି ପଛେ ଯାଉ, କିନ୍ତୁ ଦଳ ନୂଆ ନେତୃତ୍ୱଙ୍କୁ କେବେ ବି ସମର୍ଥନ କରିବ ନାହିଁ, ଫଳରେ ମୋଦିଙ୍କ ପାଇଁ ଏହା ସୁଫଳ ଆଣିବା ସହ ବିରୋଧୀ ମହାମେଂଟ ପାଇଁ ଅଶୁଭ ହେବ ।

୨- ଦେଶରେ ବର୍ତମାନ କ୍ଷମତାସୀନ ବିଜେପି ସରକାରଙ୍କୁ ବିଭିନ୍ନ ସମୟରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଠିକ ଭାବେ ବିରୋଧ କରିବାରେ ବିଫଳ ହୋଇଛି । ସଂସଦ ଭିତରେ ହେଉ ବା ବାହାରେ କଂଗ୍ରେସ ସେଇ ପୁରୁଣା କାଳିଆ ଷ୍ଟାଇଲରେ ବିରୋଧ ପ୍ରଦର୍ଶନ କରିଆସୁଛି, ଯାହାକୁ ବି ଦେଶର ଜନସାଧାରଣ ଗ୍ରହଣ କରିବାକୁ ନାରାଜ । ଫଳସ୍ୱରୂପ ରାହୁଲ ଗାନ୍ଧୀଙ୍କର ଇମେଜ୍ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି ।

୩- ଗାନ୍ଧୀ ପରିବାର କେବଳ ଉତରପ୍ରଦେଶରେ କୌଣସି ଘଟଣା ବା ଅଘଟଣା ଘଟିଲେ ସ୍ୱର ଉଠାନ୍ତି । ଅନ୍ୟ କୌଣସି କଂଗ୍ରେସ ଶାସିତ ରାଜ୍ୟ ବା ବିଜେପି ଶାସିତ ରାଜ୍ୟ କ୍ଷେତ୍ରରେ ଏହି ସ୍ୱର ସାମାନ୍ୟ ନରମ ହୋଇଯାଏ । ଫଳରେ ଭାଜପା ପ୍ରତି ଜନତାଙ୍କର ଯେଉଁ ଆଭିମୁଖ୍ୟ ୨୦୧୩ରେ ଥିଲା, ତାହା ବଳବତର ରହିଛି ।

୪- ବିମୁଦ୍ରିକରଣ, କରୋନା, ସର୍ଜିକାଲ ଷ୍ଟ୍ରାଇକ, ଆତଙ୍କବାଦୀ ହମଲା ଆଦି ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କର ଦୋଷଦୁର୍ବଳତାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ବିଫଳ ହୋଇଛି । ଦେଶରେ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ କଂଗ୍ରେସ ଏପରି ଯୁକ୍ତି କରିଥାଏ, ଲାଗେି ସତେ ଯେମିତି ଏହି ଦଳ ଦେଶଦ୍ରୋହୀ କାର୍ଯ୍ୟ କରୁଛି । ବିରୋଧ କରିବାର ବିଭିନ୍ନ କୌଶଳ କଂଗ୍ରେସ ଆପଣାଇବାରେ ବିଫଳ ହେଉଥିବାରୁ ଜନତାଙ୍କ ନିକଟତର ହୋଇପାରୁନାହିଁ ।

୫- ଯେଉଁ କେତୋଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ରହିଥିଲା, ସେଗୁଡ଼ିକ ଧୀରେଧୀରେ ଭାଜପା ଦଖଲ କରିନେଲାଣି । ଅଧିକାଂଶ ରାଜ୍ୟରେ କଂଗ୍ରେସ ନେତାଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଜାରି ରହିଛି । ବାରମ୍ବାର ରାଜ୍ୟସ୍ତରୀୟ ନେତାମାନେ ଦିଲ୍ଲୀ ଯାଇ ଡେରା ପକାଉଥିଲେ ହେଁ କୌଣସି ସୁଫଳ ମିଳି ପାରୁନାହିଁ । ଯେଉଁ ଦଳ ନିଜର କନ୍ଦଳ ସଜାଡ଼ି ପାରୁନାହିଁ, ସେ ଦଳ ଭବିଷ୍ୟତରେ ନିର୍ବାଚନରେ କିପରି ଖେଳିବ ତାହା ଏବେ ଠୁ ଜଳ ଜଳ ହୋଇ ଦିଶିଲାଣି ।

Get real time updates directly on you device, subscribe now.