fbpx

ବଙ୍ଗୋପସାଗରରେ ଲଘୁଚାପ , ଦୁଇ ଦିନ ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସାରା ରାଜ୍ୟରେ ସମ୍ପ୍ରତି ମୌସୁମୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଦୁଇଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଆଗାମୀ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବରଗଡ, ଦେବଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଥିପାଇଁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା ,ନୟାଗଡ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୨୬ ତାରିଖ ସକାଳ ସାଢ଼େ ୮ଟାରୁ ୨୭ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, କଳାହାଣ୍ଡି, ନୂଆପଡା, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ହେବା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ବର୍ଷା ଯୋଗୁଁ ରାସ୍ତା ମଧ୍ୟ ଦୃଶ୍ୟମାନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରଗୁଡିକ ଭାଙ୍ଗି ଯାଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।

Get real time updates directly on you device, subscribe now.