fbpx

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ : କଡ଼ା ଚେକିଂ ପରେ ଏପରି ଭୁଲ କାହିଁକି ?

ପୁରୀ: ପୁରୀ ଶନ୍ମନ୍ଦିରକୁ ନେଇ ଚେକିଂ ଯେତେ କଡ଼ାକଡ଼ି କଲେ ବି କିଛି ଅମାନିଆ ଲୋକମାନେ ଏହାକୁ ଖାତିର ନକରି ନିୟମର ଉଲ୍ଲଙ୍ଘନ କରୁଛନ୍ତି । କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ଭିତରବେଢ଼ା, ଆନନ୍ଦ ବଜାରର ଭିଡିଓ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି । ଫଟୋ ଭାଇରାଲ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋହିତ ଜୱାଲ ।

ତାଙ୍କ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି, ସେ ଶ୍ରୀମନ୍ଦିର ଭିତରବେଢାରେ ଏକ ଗୀତରେ ରିଲ୍ସ କରୁଛନ୍ତି । ଯେଉଁଥିରେ ଶ୍ରୀମନ୍ଦିର ଓ ନୀଳଚକ୍ର ଦେଖିବାକୁ ମିଳୁଛି । ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଏହି ଭିଡିଓ ଶୁଟିଂ ହୋଇଥିବା ଜଣାପଡ଼ିଛି । ସେହିପରି ଆନନ୍ଦବଜାର ପରିସର ତଥା ସ୍ନାନମଣ୍ଡପ ଉପରେ ଠିଆହୋଇ ବଡ଼ଦାଣ୍ଡ ଏବଂ ଆନନ୍ଦବଜାର ଭିତର ଭିଡିଓ କରାଯାଇଛି, ଯେଉଁଥିରେ ସେ ଏକ ଗୀତରେ ନମସ୍କାର ମୁଦ୍ରାରେ ନୃତ୍ୟ କରୁଛନ୍ତି ।

ଆଉ ଗୋଟିଏ ଭିଡିଓରେ ଶ୍ରୀପତିତପାବନଙ୍କୁ ଦେଖାଇବା ସହ ବଡ଼ଦାଣ୍ଡର ଦୃଶ୍ୟ ରହିଛି । କେବଳ ଜଗନ୍ନାଥ ମନ୍ଦିର ନୁହେଁ, ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଓ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଭିତର ବେଢାର ଭିଡିଓ ମଧ୍ୟ ତାଙ୍କ ଆଇଡିରେ ରହିଛି । ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ନିଜ ଆଡୁ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛି ।

ଅଭିଯୁକ୍ତଙ୍କୁ ଆସନ୍ତା ୭ତାରିଖରେ ସିଂହଦ୍ୱାର ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଓ ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଅପରପକ୍ଷରେ ଶନିବାର ରାତିରେ ଗୁଣ୍ଡିଚା ମନ୍ଦିର ପରିସରରେ ଅନେକ ଭକ୍ତଙ୍କ ହାତରେ ମୋବାଇଲ ଫୋନ ଦେଖିବାକୁ ମିଳିଥିଲା । ନୀତି ବିଳମ୍ବ କାରଣରୁ ମହାପ୍ରଭୁଙ୍କ ଦର୍ଶନ ରାତି ତମାମ ଚାଲିଥିଲା । ପ୍ରବଳ ବର୍ଷା ଯୋଗୁ ପ୍ରାୟ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଢିଲା ରହିଥିଲା । ଏହାର ସୁଯୋଗ ନେଇ ଅନେକ ଭକ୍ତ ମୋଇବାଲ ଫୋନ୍ ସାଥିରେ ଗୁଣ୍ଡିଚା ମନ୍ଦିର ଭିତରକୁ ନେଇଥିଲେ । ଏପରିକି ମନ୍ଦିର ଭିତରେ ମୋବାଇଲ୍ରେ କଥା ହେଉଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.