ସତର୍କ କଲା ପାଣିପାଗ କେନ୍ଦ୍ର, ୩ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ, ୫୦-୬୦ କିମି ବେଗରେ ପବନ
ଆଉ କିଛି ସମୟ ମଧ୍ୟରେ ପୁଣି ତାଣ୍ଡବ ରଚିବ କାଳବୈଶାଖୀ, କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ପବନ। ପାଣିପାଗ ବିଭାଗର ଆକଳନ।
ଭୁବନେଶ୍ୱର: ସତର୍କ କଲା ପାଣିପାଗ ବିଭାଗ। ୩ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବା ନେଇ ପାଣିପାଗ ବିଭାଗର ଆକଳନ। ଏହା ସହ କୁଆପଥର ବର୍ଷା ସହ ପବନର ବେଗ ୫୦-୬୦ କିମି ରହିବା ସମ୍ଭାବନା।
ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି।
ଏହି କାଳବୈଶାଖୀ ପ୍ରଭାବ ରାଜ୍ୟରେ ଆହୁରି କିଛି ଦିନ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। ଏପରିକି ଆଜି ସକାଳୁ ସକାଳୁ ମଧ୍ୟ ଭୁବନେଶ୍ୱର ସମେତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ପବନ ହୋଇଛି।
ଏହାସହ ଆଉ ୩ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ସେହି ସବୁ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ। ଆଉ କିଛି ସମୟ ମଧ୍ୟରେ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।