EPFO ବଦଳାଇବ ନିୟମ! ସର୍ବନିମ୍ନ କର୍ମଚାରୀ ସଂଖ୍ୟା ୧୦-୧୫ ଥିବା ସଂସ୍ଥା ଇପିଏଫଓରେ ଯୋଡ଼ି ହୋଇ ପାରିବେ

ନୂଆଦିଲ୍ଲୀ: ଖୁବଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନୂଆ ନିୟମ ଲାଗୁ କରିପାରେ । ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ବୃଦ୍ଧି ପାଇଁ ଇପିଏଫଓ ବିଚାର କରୁଛି । ବର୍ତ୍ତମାନ ଏହି ସୀମା ମାସିକ ୧୫ ହଜାର ଟଙ୍କା ରହିଥିବା ବେଳେ ତାହାକୁ ୨୧ ହଜାର କରିବାକୁ ବିଚାର ଚାଲିଛି । ଏଥିସହିତ ଇପିଏଫଓ ଆଉ ଏକ ନିୟମ ବଦଳାଇବାକୁ ଯାଉଛି । କୌଣସି ସଂସ୍ଥାର କର୍ମଚାରୀ ସଂଖ୍ୟା କମ୍ ଥିଲେ ବି ସେମାନେ ଇପିଏଫରେ ସାମିଲ ହୋଇ ପାରିବେ । ବର୍ତ୍ତମାନ ସର୍ବନିମ୍ନ କର୍ମଚାରୀ ସଂଖ୍ୟା ୨୦ ରହିଥିବା ବେଳେ ତାହାକୁ ୧୦-୧୫କୁ ହ୍ରାସ କରିବା ନେଇ ବିଚାର କରାଯାଉଛି । ଏହା କାର୍ଯ୍ୟକାରୀ ହେଲେ କମ୍ କର୍ମଚାରୀଙ୍କୁ ନିୟୋଜିତ କରିଥିବା ସଂସ୍ଥାମାନେ ଇପିଏଫଓରେ ସାମିଲ ହୋଇପାରିବେ ।

ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ଗତ ୨୦୧୪ ମସିହାରେ କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମାରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ମାସିକ ବେତନ ସୀମା ୬୫୦୦ରୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କା କରାଯାଇଥିଲା । ତେବେ ଏଥର ତାହା ୬ ହଜାର ବୃଦ୍ଧି କରାଯାଇ ୨୧ ହଜାର କରାଯାଇପାରେ । ଏହା ଲାଗୁହେଲେ କର୍ମଚାରୀମାନେ ନିଜ ନିଜର ଭବିଷ୍ୟ ନିଧି ପାଣ୍ଠିରେ ଅଧିକ ଅର୍ଥ ଜମା କରିପାରିବେ । ଆସନ୍ତା ୨୩ରେ ବସିବାକୁ ଯାଉଥିବା କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନ ଇପିଏଫଓ ସ୍କିମରେ ପ୍ରତି ମାସରେ କର୍ମଚାରୀଙ୍କ ମୂଳ ବେତନର ୧୨ ପ୍ରତିଶତ ରାଶିକୁ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତ୍ତା ଭବିଷ୍ୟନିଧି ଆକାଉଣ୍ଟରେ ଜମା କରୁଛନ୍ତି । ଭବିଷ୍ୟ ନିଧି ପାଣ୍ଠିରେ ଉନ୍ନତି ଆଣିବା ପାଇଁ ଅଂଶୀଦାରମାନଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ବିଚାର କରୁଛି ।