fbpx

OSSC ପକ୍ଷରୁ ଘୋଷଣା: ସେପ୍ଟେମ୍ବର ୨ରେ ହେବ ATO ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ଆସନ୍ତା ମାସ ୨ ତାରିଖ (ସୋମବାର) ଦିନ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଡିପ୍ଲୋମା / ଡିଗ୍ରୀ)- ୨୦୨୪ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଭୁବନେଶ୍ୱର ପରୀକ୍ଷା କେନ୍ଦ୍ରରେ ଓଏମଆର ମୋଡ଼ରେ ଆୟୋଜିତ ହେବ । ପ୍ରାର୍ଥୀମାନେ ୨.୩୦ ଘଣ୍ଟା ସମୟ ମଧ୍ୟରେ ୧୪୦ ମାର୍କର ପରୀକ୍ଷା ଦେବେ । ଦ୍ୱିପ୍ରହର ୧ଟାରୁ ୩.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରାର୍ଥୀଙ୍କୁ ମଧ୍ୟାହ୍ନ ୧୨.୧୪ରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଲିଖିତ ପରୀକ୍ଷାର ଶର୍ଟଲିଷ୍ଟ ନିମୟରେ କିଛି ପଏଣ୍ଟ ଆଡ୍ କରାଯାଇଥିଲା । ପୋଷ୍ଟ-ୱାଇଜ୍ / ଟ୍ରେଡ-ୱାଇଜ୍ ଖାଲି ପଦର ପାଖାପାଖି ୫ ଗୁଣ ପ୍ରାର୍ଥୀଙ୍କୁ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଶର୍ଟଲିଷ୍ଟ କରାଯିବ । ତେବେ ଯଦି କୌଣସି ପଦ/ଟ୍ରେଡ ପାଇଁ ୧ଟି ପଦ ଖାଲି ଥିବ ବେଳେ ୧୦ ଗୁଣ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଶର୍ଟଲିଷ୍ଟ କରାଯିବ । ଅନ୍ୟସମସ୍ତ ନିୟମାବଳୀ ବିଜ୍ଞପ୍ତି ଅନୁସାରେ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଥିଲା ।

ଏଟିଓ ପଦ ପାଇଁ ପ୍ରଥମେ ଜୁଲାଇ ୭ରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପରେ ଜୁଲାଇ ୧୪ରେ ପରୀକ୍ଷା ହେବା ନେଇ ନୂଆ ତାରିଖ ଘୋଷଣା କରାଯାଇଥିଲା । ଜୁଲାଇ ୯ରୁ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ମୋଟ ୨୫୦ଟି ପଦ ପୂରଣ ପାଇଁ ଗତ ମାର୍ଚ୍ଚରେ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀଧାରୀଙ୍କ ପାଇଁ ୧୨୫ଟି ଖାଲି ପଦ ରହିଥିଲା ।

Get real time updates directly on you device, subscribe now.