fbpx

OSSSC ପକ୍ଷରୁ ବଡ଼ ନିଷ୍ପତ୍ତି: ଅମିନ, RI, ARI, SFS ପଦର ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଆଦି ପଦରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା ।

ଏନେଇ ଡିସେମ୍ବର ମାସ ୩୦ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୈଷୟିକ କାରଣ ଦର୍ଶାଇ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ପ୍ରକ୍ରିୟାକୁ ସସପେଣ୍ଡ କରିଦିଆଯାଇଥିଲା । ଏଥିସହିତ ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଅନଲାଇନ ରେଜିଷ୍ଟ୍ରେସନର ସମୟସୀମା ଜାନୁଆରୀ ୨୫ ତାରିଖ ରହିଥିବା ବେଳେ ବହୁ ପ୍ରାର୍ଥୀ ଏଥିରେ ଆବେଦନ କରିପାରିନଥିଲେ ।

ତେବେ ୱେବସାଇଟରେ ସମସ୍ୟା କାରଣରୁ ଆବେଦନର ସମୟସୀମା ବୃଦ୍ଧି ପାଇଁ ବହୁ ଆଶାୟୀ ଦାବି କରିଥିଲେ । ଶେଷରେ ଓଏସଏସଏସସି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ସମସ୍ତ ପଦର ଆବେଦନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଏବେ ପ୍ରାର୍ଥୀମାନେ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ସେହିପରି ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିପାରିବେ ବୋଲି ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ପୂର୍ବରୁ ଅନଲାଇନ୍ ଆପ୍ଲିକେସନ ସବମିସନ ତାରିଖ ଜାନୁଆରୀ ୩୧ ତାରିଖ ରହିଥିଲା ।

ଆରଆଇ, ଏଆରଆଇ ଓ ଅମିନ ପାଇଁ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ରହିଥିବା ବେଳେ ଆଇସିଡିଏସ ସୁପରଭାଇଜର ଓ ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର (ଏସଏଫଏସ) ପାଇଁ ୨୧ ବର୍ଷ ରହିଛି । ସମସ୍ତ ପଦ ପାଇଁ ସର୍ବାଧିକ ବୟସ ସୀମା ୩୮ ବର୍ଷ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଆରଆଇ ପାଇଁ ୫୫୯ଟି, ଆଇସିଡିଏସ ସୁପରଭାଇଜର (କେବଳ ମହିଳା) ପାଇଁ ୪୯୮ଟି, ଏଆରଆଇ ପାଇଁ ୮୨୭ଟି, ଅମିନ ପାଇଁ ୬୮୬ଟି ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ପାଇଁ ୩୨୫ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଏପରି ଭାବେ ୩ଟି ପର୍ଯ୍ୟାୟ ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://www.osssc.gov.in/Public/Pages/Post_detail_information.aspx

ବିଜ୍ଞପ୍ତି ଲିଙ୍କ: https://www.osssc.gov.in/Docs/CRE-ADV-938.PDF

ଆବେଦନ ତାରିଖ ବୃଦ୍ଧି ଲିଙ୍କ: https://www.osssc.gov.in/Docs/CRE-4-DateExtension.pdf

Get real time updates directly on you device, subscribe now.