fbpx

ଓଟିଇଟି ଓ ଗଣଶିକ୍ଷକଙ୍କ ଚାକିରି ନିୟମିତ ପ୍ରସଙ୍ଗ: ହଟିଲା ଅନ୍ତରୀଣ ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): ଓଟିଇଟି ପାସ୍‌ କରିନଥିବା ଗଣଶିକ୍ଷକଙ୍କ ଚାକିରି ନିୟମିତ ବିଷୟକୁ ନେଇ ରହିଥିବା ରହିତାଦେଶକୁ ଆଜି ହାଇକୋର୍ଟ ପ୍ରତ୍ୟାହାର କରିଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଏସ୍‌ମୁରଲୀଧର ଓ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ତପୀଠ ଏହାର ପୁନଃ ବିଚାର କରିଛନ୍ତି। ଏନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜନସ୍ଵାର୍ଥ ମାମଲା କରାଯାଇଥିଲା ଏବଂ ୨୦୧୮ ଏପ୍ରିଲ ୨୪ରେ ପ୍ରଦାନ ଦିଆଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇବାକୁ ଖଣ୍ଡପୀଠ ଆଦେଶ ଦେଇଛନ୍ତି।

ରାଜ୍ୟ ସରକାର ୨୦୧୬ ଡିସେମ୍ବର ୨୨ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ଜଣେ ଗଣଶିକ୍ଷକ ଓଟିଇଟି ପାସ୍‌ କରି ନଥିଲେ ମଧ୍ୟ ତାଙ୍କ ଚାକିରି ନିୟମିତ କରାଯାଇ ପାରିବ ଏବଂ  ତାଙ୍କୁ ସହକାରୀ ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ତାଙ୍କୁ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଓଟିଇଟି ପାସ୍‌ ଯୋଗ୍ୟତା ହାସଲ କରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେ ଓଟିଇଟି ପାସ୍‌ ନକଲେ ତାଙ୍କୁ ଆଉ ଇନ୍‌କ୍ରିମେଣ୍ଟ ମିଳିବ ନାହିଁ ବୋଲି କୁହାଯାଇଥିଲା। ଏପରି ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ କରୁଛି ‌ବୋଲି ଦର୍ଶାଇ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଥିଲେ। ସହକାରୀ ଶିକ୍ଷକ ପଦ ପାଇଁ ଓଟିଇଟି ପାସ୍‌ ସର୍ବନିମ୍ନ ଯୋଗ୍ୟତା ହୋଇଥିବା ବେଳେ ଏହି ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନୋଟିସ୍‌ ଜାରି କରିବା ସହିତ ୨୦୧୮ ଏପ୍ରିଲ ୨୪ରେ ଓଟିଇଟି ପାସ୍‌ କରି ନଥିବା ଗଣଶିକ୍ଷକଙ୍କ ଚାକରି ନିୟମିତ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଥିଲେ। ଯାହା ଆଜି ପ୍ରତ୍ୟାହୃତ ହୋଇଛି।

Get real time updates directly on you device, subscribe now.