fbpx

କେନ୍ଦ୍ରରେ ଖାଲି ପଡିଛି ୯.୭୯ ଲକ୍ଷରୁ ଅଧିକ ସରକାରୀ ପଦବୀ,କେଉଁ ବିଭାଗରେ ଖାଲି ପଡିଛି ସର୍ବାଧିକ ସଂଖ୍ୟକ ଚାକିରି; ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ସରକାରୀ ଚାକିରି ଟିଏ ପାଇବା ପାଇଁ କିଏ ଅବା ଇଚ୍ଛା କରନ୍ତି ନାହିଁ? ଲୋକମାନେ ବର୍ଷ ବର୍ଷ ଧରି ଏହା ପାଇଁ ପ୍ରସ୍ତୁତ ହେଉଛନ୍ତି କିନ୍ତୁ ସେମାନେ କିଛି କାରଣ ପାଇଁ ମନୋନୀତ ହେଇପାରନ୍ତି ନାହିଁ। ଅନେକ ଥର ଏହା ଘଟେ ଯେ ନିଯୁକ୍ତି ବାହାରେ , ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୁଏ, କିନ୍ତୁ ଏହାର ଫଳାଫଳ ବାତିଲ ହୁଏ ଏବଂ ବେଳେବେଳେ ପରୀକ୍ଷା ପେପର ମଧ୍ୟ ଲିକ୍ ହୁଏ । ତଥାପି ପ୍ରାର୍ଥୀମାନେ ଆଶା ଛାଡନ୍ତି ନାହିଁ । ପୁନର୍ବାର ଚେଷ୍ଟା ଜାରିରଖନ୍ତି । କିନ୍ତୁ ଆପଣ ଜାଣନ୍ତି କି କେନ୍ଦ୍ରରେ ଏବେ କେତେ ପଦବୀ ଖାଲି ଅଛି?

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବିଭିନ୍ନ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଏବଂ ଖୁସି ଖବର । ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ୯.୭୯ ଲକ୍ଷରୁ ଅଧିକ ପଦବୀ ଖାଲି ଅଛି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତୀୟ ରେଳବାଇରେ ଅଧିକାଂଶ ପଦବୀ ଖାଲି ଅଛି।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର କହିଛନ୍ତି ଯେ ମାର୍ଚ୍ଚ ୧, ୨୦୨୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୯.୭୯ ଲକ୍ଷରୁ ଅଧିକ ପଦବୀ ଖାଲି ଅଛି, ଯେଉଁଥିରୁ ଭାରତୀୟ ରେଳବାଇରେ ସର୍ବାଧିକ ୨.୯୩ ଲକ୍ଷ ପଦବୀ ଖାଲି ଅଛି। ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର ଆବଶ୍ୟକତା ଅନୁଯାୟୀ ଖାଲିଥିବା ପଦବୀରେ  ଖୁବ ଶୀଘ୍ର ନିଯୁକ୍ତି ହେବ। ଏଥିସହ ସେ କହିଛନ୍ତି ଯେ ବିଭିନ୍ନ ଖାଲି ପଦବୀରେ ଲୋକଙ୍କୁ ନିଯୁକ୍ତି କେବଳ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁଯାୟୀ କରାଯିବ।

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଖାଲିଥିବା ପଦବୀଗୁଡ଼ିକୁ ଠିକ୍ ସମୟରେ ପୂରଣ କରିବାକୁ ସରକାର ସମସ୍ତ ମନ୍ତ୍ରଣାଳୟ / ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏହି ଚାକିରି ମେଳା ଆଗାମୀ ନିଯୁକ୍ତି କ୍ଷେତ୍ରରେ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

କେଉଁ ବିଭାଗରେ କେତେ ପଦବୀ ଖାଲି ଅଛି :
ବ୍ୟୟ ବିଭାଗର ବାର୍ଷିକ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରେଳ ବିଭାଗ ବ୍ୟତୀତ ପ୍ରତିରକ୍ଷା (ସିଭିଲ) ରେ ୨.୬୪ ଲକ୍ଷ ପଦବୀ ଖାଲି ଅଛି। ଗୃହ ମନ୍ତ୍ରଣାଳୟରେ ୧.୪୩ ଲକ୍ଷ ପଦବୀ ଖାଲି ଅଛି, ରାଜସ୍ୱ ବିଭାଗରେ ୮୦,୨୪୩ ଟି ପଦବୀ ଖାଲି ଅଛି, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗରେ ୨୫ ହଜାର ୯୩୪ ଟି ପଦବୀ ଖାଲି ଅଛି। ଏଥି ସହିତ ପରମାଣୁ ଶକ୍ତି ବିଭାଗରେ ୯,୪୬୦ ପଦବୀ ଖାଲି ଅଛି।

Get real time updates directly on you device, subscribe now.