ପହଲଗାମ ଆକ୍ରମଣ, ଭାରତୀୟ ବରଙ୍କ ପାକିସ୍ତାନି କନିଆଁ, ସୀମାରେ ଅଟକି ଗଲା ବାହାଘର
ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ ବନ୍ଦ ହୋଇଗଲା ବାହାଘର। ସୀମା ଏପଟେ ବର ସେପଟେ ଚାହିଁ ବସିଛି କନିଆଁ।
ଗୁଜୁରାଟ: ଏହା କେମିତିକା ଘଡିସନ୍ଧି ମୂହୁର୍ତ୍ତ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଯାଉଥିବା ଏକମାତ୍ର ସୀମା ଅଟାରୀକୁ ବନ୍ଦ କରିଦେଇଛି।
ଏହା ଅନିଶ୍ଚିତ ଯେ ଏହି ସୀମା କେବେ ଯାଏ ବନ୍ଦ ରହିବ, ଏପରି ପରିସ୍ଥିତିରେ ପାକିସ୍ତାନକୁ ଯାଉଥିବା ଭାରତୀୟ ନାଗରିକମାନଙ୍କ ପାଇଁ ନୂଆ ସଙ୍କଟ ସୃଷ୍ଟି ହୋଇଛି। ରାଜସ୍ଥାନର ବାସିନ୍ଦା ଶୈତାନ ସିଂହ ନିଜ ବିବାହ ପାଇଁ ପାକିସ୍ତାନକୁ ଯାଉଥିଲେ। କିନ୍ତୁ ତାଙ୍କୁ ଅଟାରୀ ସୀମାରେ ଅଟକାଯାଇଛି।
ପାକିସ୍ତାନରେ ବାହାଘର: ବର ଶୈତାନ ସିଂହ କହିଛନ୍ତି, ”ଆତଙ୍କବାଦୀମାନେ ଯାହା କରିଛନ୍ତି, ତାହା ଭୁଲ୍। ସୀମା ବନ୍ଦ ଥିବାରୁ ଆମକୁ ପାକିସ୍ତାନକୁ ଯିବାକୁ ଅନୁମତି ଦିଆଯାଉନାହିଁ। ଦେଖାଯାଉ ଏବେ କ’ଣ ହେଉଛି।”
କେନ୍ଦ୍ର ସରକାର ଗତକାଲି ଘୋଷଣା କରିଛନ୍ତି ଯେ ଏକୀକୃତ ଚେକପୋଷ୍ଟ ଅଟାରୀକୁ ତୁରନ୍ତ ବନ୍ଦ କରାଯିବ। ଯେଉଁମାନେ ବୈଧ ଅନୁମୋଦନ ସହିତ ସୀମା ପାର କରିସାରିଛନ୍ତି, ସେମାନେ ୧ ମଇ ୨୦୨୫ ପୂର୍ବରୁ ସେହି ମାର୍ଗ ଦେଇ ଫେରିପାରିବେ।
ପାକିସ୍ତାନରେ ଜେଜେ ମା’: ଶୈତାନ ସିଂହଙ୍କ ଭାଇ ସୁରିନ୍ଦର ସିଂହ ଏକ ପାରିବାରିକ ବିବାହ ପାଇଁ ପାକିସ୍ତାନକୁ ଯାଉଥିଲେ। ସେ କହିଛନ୍ତି, “ମୁଁ ଆଜି ମୋ ଭାଇଙ୍କ ବିବାହ ପାଇଁ ପାକିସ୍ତାନକୁ ଯାଉଥିଲି, କିନ୍ତୁ ଏବେ ଏହା ସ୍ଥଗିତ ହେବ।
ମୋ ଜେଜେମା ଓ ତାଙ୍କର ଚାରି ପୁଅ ପାକିସ୍ତାନରେ ରହୁଛନ୍ତି ଏବଂ ତାଙ୍କର ଜଣେ ପୁଅ ଭାରତରେ ରହୁଛନ୍ତି। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଭୁଲ୍ ଥିଲା।”
୪୮ ଘଣ୍ଟା ସମୟ: ବୈଦେଶିକ ସଚିବ ବିକ୍ରମ ମିସ୍ରୀଙ୍କ ଅନୁଯାୟୀ, ପାକିସ୍ତାନୀ ନାଗରିକମାନଙ୍କୁ ସାର୍କ ଭିସା ଛାଡ଼ ଯୋଜନା ଅଧୀନରେ ଭାରତ ଭ୍ରମଣ କରିବାକୁ ଅନୁମତି ଦିଆଯିବ ନାହିଁ।
ସେ ଆହୁରି କହିଛନ୍ତି ଯେ ଏହି ଭିସା ଯୋଜନା ଅଧୀନରେ ବର୍ତ୍ତମାନ ଭାରତରେ ଥିବା ଯେକୌଣସି ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲା ସମ୍ବନ୍ଧୀୟ ମନ୍ତ୍ରୀମଣ୍ଡଳୀ କମିଟି ଏହି ନିଷ୍ପତ୍ତି ନେଇଛି।