ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ଭାରତ-ପାକିସ୍ତାନ ମଧ୍ୟରେ ୧୮ ପର୍ଯ୍ୟନ୍ତ ଅସ୍ତ୍ରବିରତି
ଭାରତ ଏବଂ ପାକିିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ ।
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କେବଳ ମେ ୧୮ ପର୍ଯ୍ୟନ୍ତ ରହିବ । ଏହି ବିବୃତ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଆଜି ଦେଇଛନ୍ତି ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ପରେ ଭାରତ-ପାକିସ୍ତାନ ବିବାଦକୁ ନେଇ ନୂତନ ଆଲୋଚନା ଆରମ୍ଭ ହୋଇଛି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ସାମରିକ ସଂଘର୍ଷ ଆରମ୍ଭ ହେବାକୁ ଯାଉଛି କି ବୋଲି ପ୍ରଶ୍ନ ଉଠାଯାଉଛି? ୧୮ ମଇ ପରେ ପାକିସ୍ତାନରୁ ଡ୍ରୋନ୍ ଏବଂ ମିସାଇଲ୍ ମାଧ୍ୟମରେ ପୁଣି ଆକ୍ରମଣ ହେବ କି ଏବଂ ଭାରତ ଏହାର ଜବାବ ଦେବ କି? ଏଭଳି ଅନେକ ପ୍ରଶ୍ନ ଆସୁଛି ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏହା କାହିଁକି କହିଲେ… ଏହା ପଛରେ ଏକ ଗଭୀର ଷଡ଼ଯନ୍ତ୍ର ରହିଥାଇପାରେ ବୋଲି ଚର୍ଚ୍ଚା ହେଉଛି । ସିନ୍ଧୁ ଜଳ ଚୁକ୍ତି ନେଇ କୌଣସି ଚାଲ୍ ଖେଳିପାରେ ବୋଲି କୁହାଯାଉଛି ।
କଣ କହିଥିଲେ ବୈଦେଶିକ ମନ୍ତ୍ରୀ- ଇଶାକ ଦାର ନ୍ୟାସନାଲ ଆସେମ୍ବଲିରେ କହିଥିଲେ, “୧୦ ମଇରେ ଦୁଇ ଦେଶ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଫଳରେ ୧୨ ମଇ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଏକ ଚୁକ୍ତି ହୋଇଥିଲା। ୧୨ ମଇରେ ଅନୁଷ୍ଠିତ ଆଲୋଚନା ଫଳରେ ୧୪ ମଇ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଏକ ଚୁକ୍ତି ହୋଇଥିଲା।
୧୪ ମଇରେ ଅନୁଷ୍ଠିତ ଆଲୋଚନାରୁ ୧୮ ମଇ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଏକ ଚୁକ୍ତି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସାମରିକ ସ୍ତରରେ ହୋଇଥିବା ଚୁକ୍ତି କେବଳ ସେତେବେଳେ ପୂର୍ଣ୍ଣ ଚୁକ୍ତି ହେବ ଯେତେବେଳେ ରାଜନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ।”
ପାକିସ୍ତାନର ନୂଆ ଚାଲ୍- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗତ ତିନି ସପ୍ତାହ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାହା ଘଟିଲା, ତାହା ସମଗ୍ର ବିଶ୍ୱ ସମ୍ମୁଖରେ ଅଛି । କିନ୍ତୁ ପାକିସ୍ତାନ ଭାରତ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତି ବିଷୟରେ ଅଧିକ ଚିନ୍ତିତ, ଯାହା ଯୋଗୁଁ ଏହା ଯେକୌଣସି ସମୟରେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ । ପାକିସ୍ତାନର ସବୁଠାରୁ ବଡ଼ ଭୟ ହେଉଛି ସିନ୍ଧୁ ଚୁକ୍ତିନାମା ।
ଯୁଦ୍ଧବିରତି ଘୋଷଣା ପରେ ମଧ୍ୟ ଭାରତ ସ୍ପଷ୍ଟ କରିଦେଇଛି ଯେ ସିନ୍ଧୁ ଚୁକ୍ତିନାମା ସ୍ଥଗିତ ରହିବ । ଯଦି ପାକିସ୍ତାନ ସହିତ ଆଲୋଚନା ହୁଏ, ତେବେ ତାହା ଆତଙ୍କବାଦ ଏବଂ ପାକ୍ ଅଧିକୃତ କାଶ୍ମୀର ଉପରେ ହେବ । ପାକିସ୍ତାନ ସିନ୍ଧୁ ଚୁକ୍ତିନାମାର ସ୍ଥଗିତ ପ୍ରତ୍ୟାହାର କରିବାକୁ ଚାହୁଁଛି । ଏଥିପାଇଁ ସେ ଭାରତକୁ ରାଜନୈତିକ ଆଲୋଚନାରେ ସାମିଲ କରିବାକୁ ଚାହୁଁଛନ୍ତି ।