ପାକିସ୍ତାନକୁ ଲଜ୍ଜା… ମ୍ୟାଚ୍ ଅଧାରୁ ପାକିସ୍ତାନର Star କ୍ରିକେଟରଙ୍କୁ ଟେକିନେଲା UK ପୋଲିସ

ରେପ୍ ଅଭିଯୋଗ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁକେ ପୋଲିସ । ଖେଳାଳିଙ୍କୁ ନିଲମ୍ବନ କଲା ପିସିବି ।

କରାଚୀ: ପାକିସ୍ତାନରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଇଂଲଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନୀ କ୍ରିକେଟର ହାଇଦର ଅଲିଙ୍କୁ ବଳାତ୍କାର ମାମଲାରେ ୟୁକେ ପୋଲିସ ଗିରଫ କରିଛି।

ତାଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି ଏବଂ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି, ଯଦିଓ ତାଙ୍କୁ ଜାମିନ ମିଳେ, ଏହା ସମ୍ଭବତଃ ଏହି ସର୍ତ୍ତରେ ହେବ ଯେ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସେ ଦେଶ ଛାଡିପାରିବେ ନାହିଁ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କୁ ନିଲମ୍ବିତ ମଧ୍ୟ କରିଛି।

ପୋଲିସ ବୟାନ

ପାକିସ୍ତାନ କ୍ରିକେଟ ଟିମରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୪ ବର୍ଷୀୟ ହାଇଦର ଅଲିଙ୍କ ବିରୋଧରେ ପୋଲିସ ଅଗଷ୍ଟ ୪ରେ ଏକ ଅଭିଯୋଗ ପାଇଥିଲା। ସେହି ଦିନ ବଳାତ୍କାରର ଅଭିଯୋଗ ପାଇବା ପରେ, ସେଠାକାର ପୋଲିସ ୨୪ ବର୍ଷୀୟ ପାକ କ୍ରିକେଟରଙ୍କୁ ଗିରଫ କରିଥିବା କହିଛି ।

ପାକିସ୍ତାନ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିବା ସମୟରେ ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କୁ ଗିରଫ କରିଥିବା ଜଣାପଡିଛି । ସେପଟେ ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ତାଙ୍କୁ ନିଲମ୍ବିତ କରିଛି।

ବୋର୍ଡ ତାର ବିବୃତ୍ତିରେ କହିଛି, “ଆମେ ଜାଣିବାକୁ ପାଇଛୁ ଯେ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ହାଇଦରଙ୍କ ବିରୋଧରେ ଏକ ଅପରାଧିକ ମାମଲାର ତଦନ୍ତ କରୁଛି, ଯାହା ଇଂଲଣ୍ଡରେ ଘଟିଥିବା ଘଟଣା ସହିତ ଜଡିତ। ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ।

କ୍ରିକେଟ୍ କ୍ୟାରିଅର

୨୪ ବର୍ଷୀୟ ହାଇଦର ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨ଟି ଦିନିକିଆ ଏବଂ ୩୫ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ତାଙ୍କର ଟି୨୦ରେ ୧୨୪ ଷ୍ଟ୍ରାଇକ୍ ରେଟରେ ୫୦୫ ରନ୍ ଅଛି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ହାଇଦର ୨୦୨୩ ମସିହାରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ।