ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତର ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେଣୁ ଆଇସିସି ଉଭୟ ବୋର୍ଡକୁ ନେଇ ହସ୍ତକ୍ଷେପ କରିବା ସହ ଏକ ଭର୍ଚାଲ ବୈଠକ କରିଛି । ଏହି ବୈଠକରୁ ଏକ ନିଷ୍କର୍ସ ବାହାରିବାର ଆଶା ଥିବା ବେଳେ ପାକିସ୍ତାନ କ୍ରିକେଟ ପୁଣିଥରେ ଧମକ ଦେଇଛି । ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ ନ କଲେ ବୋର୍ଡ ଏହାର ପ୍ରତିଶୋଧ ନେବ ବୋଲି କହିଛି ପିସିବି । ଆଇସିସିକୁ ଏଭଳି ଧମକ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ ।
ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି-୨୦୨୫ ହେବା ପରେ ଭାରତରେ ମଧ୍ୟ ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଆସନ୍ତାବର୍ଷ ମହିଳା ବିଶ୍ୱକପ୍ ଭାରତରେ ହେବାକୁ ଥିବା ବେଳେ ୨୦୨୬ରେ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ ପୁରୁଷ ଟି-୨୦ ବିଶ୍ୱକପ୍ । ତେଣୁ ଏହି ୨ଟି ଇଭେଣ୍ଟରେ ମଧ୍ୟ ପାକିସ୍ତାନ ବୋର୍ଡ ଭାରତ ଭଳି ଜିଦ୍ ଧରିବା ସହ ହାଇବ୍ରିଡ ମଡେଲ ପାଇଁ ଦାବି କରିବ ବୋଲି ଅନୁମାନ କରାଯାଉଛି । ଭାରତର ଜିଦ୍ ପାଇଁ ଚମ୍ପିଆନ୍ସ ଟ୍ରଫିକୁ ହାଇବ୍ରିଡ ମଡେଲରେ ଅନୁଷ୍ଠିତ କରିବାକୁ ଚାପଗ୍ରସ୍ତ ହେଉଛି ପାକିସ୍ତନା । ତେଣୁ ଆଗାମୀ ୨ଟି ଇଭେଣ୍ଟରେ ମଧ୍ୟ ପାକିସ୍ତାନ ଏହି ଦାବି ରଖିପାରେ ବୋଲି କୁହାଯାଇଛି ।
ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ ନ କଲେ, ପାକିସ୍ତାନ ବୋର୍ଡ ମଧ୍ୟ ଭାରତକୁ ଟିମ୍ ପଠାଇବ ନାହିଁ ବୋଲି ଧମକ ଦେଇଛି । ଏଥିପାଇଁ ଆଇସିସିକୁ ହାଇବ୍ରିଡ ମଡେଲ ଲାଗୁ କରିବାକୁ ବାଧ୍ୟ ହେବ ବୋଲି ଇସାରା ଦେଇଛି ପାକିସ୍ତାନ । ଏହାସହିତ ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତରେ କୌଣସି ମ୍ୟାଚ୍ ଖେଳିବ ନାହିଁ, ବରଂ ଶ୍ରୀଲଙ୍କାରେ ଖେଳିବ ବୋଲି କହିଛି ବୋର୍ଡ । ତେବେ ଏହି ହାଇବ୍ରିଡ ମଡେଲ ଦାବି ପୂରଣ ନ ହେଲେ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିବ ବୋଲି ଧମକ ଦେଇଛି । ପାକିସ୍ତାନ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକବୀ ଏକ ପ୍ରେସ କନଫରେନ୍ସରେ ଏ ନେଇ ଦାବି କରିଛନ୍ତି ।