ICC ଦଣ୍ଡରୁ ବଞ୍ଚିବା ପାଇଁ କୋହଲି ଓ ଧୋନିଙ୍କ ନାଁ ନେଇଥିଲେ ପାକିସ୍ତାନ ଖେଳାଳି, ଆଶ୍ଚର୍ଯ୍ୟଜନକ ସତର ଖୁଲାସା
କାହିଁକି ଭାରତୀୟ ପୂର୍ବତନ ଖେଳାଳିଙ୍କ ନାଁ ନେଲେ ପାକିସ୍ତାନୀ ଖେଳାଳି?
ଓଡିଶାଭାସ୍କର: ୨୦୨୫ ଏସିଆ କପର ସୁପର ୪ରେ ଭାରତ ବିପକ୍ଷରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନଙ୍କ “ଗନ୍ ସେଲିବ୍ରେସନ୍” ପାଳନ ଏକ ବଡ଼ ବିବାଦ ସୃଷ୍ଟି କରିଥିଲା।
ହାରିସ୍ ରୌଫ ମଧ୍ୟ ବିମାନକୁ ତଳକୁ ପକାଇବାର ଇଙ୍ଗିତ କରିଥିଲେ, ଯାହା ଫଳରେ ବିସିସିଆଇ ଫରହାନ ଏବଂ ହାରିସ୍ ରୌଫ ଉଭୟଙ୍କ ବିରୁଦ୍ଧରେ ଆଇସିସିରେ ଅଭିଯୋଗ ଦାଖଲ କରିଥିଲା।
ଉଭୟ ଖେଳାଳି ଆଜି ଅର୍ଥାତ୍ ୨୬ ସେପ୍ଟେମ୍ବରରେ ଆଇସିସି ସମ୍ମୁଖରେ ହାଜର ହୋଇଥିଲେ। ଦଣ୍ଡରୁ ବଞ୍ଚିବା ପାଇଁ ଫରହାନ ବିରାଟ କୋହଲି ଏବଂ ଏମଏସ ଧୋନିଙ୍କ ନାଁ ନେଇଥିଲେ।
ଧୋନିଙ୍କ ନାଁ କାହିଁକି ନେଲେ: ଭାରତ-ପାକିସ୍ତାନ ମ୍ୟାଚ୍ ସମୟରେ ବିବାଦ ଆରମ୍ଭ ହୋଇଥିଲା, ଯେତେବେଳେ ଫରହାନ ଅର୍ଦ୍ଧଶତକ ହାସଲ କରିବା ପରେ ପଡ଼ିଆରେ ଗନ୍ ସେଲିବ୍ରେସନ୍ କରିଥିଲେ।
ପରେ ଭାରତ ICC ନିକଟରେ ଏକ ସରକାରୀ ଅଭିଯୋଗ ଦାଖଲ କରିଥିଲା। ଏହି ଉତ୍ସବକୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଇଥିଲା, ବିଶେଷକରି ପହଲଗାମ ଆକ୍ରମଣ ଏବଂ ଭାରତର ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ।
ତଥାପି ଫରହାନ ଶୁଣାଣିରେ ସ୍ପଷ୍ଟ କରିଥିଲେ ଯେ ଏହା ଏକ ବ୍ୟକ୍ତିଗତ ଉତ୍ସବ, ପଠାଣ ସଂସ୍କୃତିର ଏକ ଅଂଶ। ସେ କହିଥିଲେ ଯେ ବିବାହ ଭଳି ଖୁସି ଅବସରରେ ଏପରି ଇଙ୍ଗିତ ସାଧାରଣ ଏବଂ ଏହାର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାହିବଜାଦା ଫରହାନ ଏହା ମଧ୍ୟ କହିଛନ୍ତି ଯେ ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ଏବଂ ବିରାଟ କୋହଲି ମଧ୍ୟ ଉତ୍ସବ ପାଳନ ସମୟରେ ସମାନ ବନ୍ଧୁକ ଇଙ୍ଗିତ ବ୍ୟବହାର କରିଥିଲେ।
ତଥାପି ଏହି ଘଟଣା ପାଇଁ ସାହିବଜାଦା ଫରହାନଙ୍କ ଉପରେ ଆଇସିସି ଜରିମାନା ଲାଗୁ କରିନଥିଲେ ମଧ୍ୟ ତାଙ୍କୁ କଡ଼ା ଚେତାବନା ଦେଇଛନ୍ତି, ଯେପରି ଆଗକୁ ଏପରି କୌଣସି ହରକତ ନକରନ୍ତି।
ହାରିସ୍ ରୌଫ୍ କ’ଣ କହିଥିଲେ: ସେହିପରି ହାରିସ୍ ରୌଫ୍ ଏକ ମ୍ୟାଚ୍ ସମୟରେ “୬-୦” ଇଙ୍ଗିତ କରିଥିଲେ ଏବଂ ଏକ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେବା ଭଳି ଇଙ୍ଗିତ କରିଥିଲେ। ଯାହାକୁ କିଛି ଲୋକ ରାଜନୈତିକ ଉତ୍ତେଜନା ସହିତ ଯୋଡିଛନ୍ତି।
ICC ଶୁଣାଣିରେ ରୌଫ୍ ନିଜକୁ ରକ୍ଷା କରି କହିଥିଲେ ଯେ “6-0” ର ଭାରତ ସହିତ କୌଣସି ସମ୍ପର୍କ ନାହିଁ। ସେ ପ୍ରଶ୍ନ କରିଥିଲେ ଯେ ଏହାକୁ ଭାରତ ସହିତ କିପରି ଯୋଡା ଯାଇପାରିବ।
ICC ଅଧିକାରୀମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ଇଙ୍ଗିତର କୌଣସି ଠୋସ୍ ଅର୍ଥ ନାହିଁ। ହେଲେ ହାରିସ୍ ରୌଫ୍ ଦଣ୍ଡରୁ ମୁକ୍ତି ପାଇନାହାଁନ୍ତି। ତାଙ୍କ ମ୍ୟାଚ୍ ଫିରୁ ୩୦% କାଟିଛି ଆଇସିସି। ଅର୍ଥାତ୍ ତାଙ୍କର ଏହି କାର୍ଯ୍ୟପାଇଁ ତାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି।